ନକ୍ସଲ କବ୍ଜାରୁ ମୁକ୍ତ ହେଲେ ରାକେଶ୍ୱର
ଘରେ ଖୁସିର ଲହରୀ
ବିଜାପୁର : ଗତ ଶନିବାର ବାସାଗୁଡା ଜଙ୍ଗଲରେ ମାଓବାଦୀ ଓ ସିଆରପିଏଫ୍ଙ୍କ ମଧ୍ୟରେ ହୋଇଥିବା ଏନ୍କାଉଂଟର ସମୟରେ ନିଖୋଜ ଥିଲେ ସିଆର୍ପିଏଫ୍ର ଜବାନ୍ ରାକେଶ୍ୱର ସିଂ ମାନହାସ । ତାଙ୍କୁ ମୁକୁଳାଇବାପାଇଁ ଗତକାଲି ଜନୈକା ମହିଳା ସମାଜସେବୀ ଉଦ୍ୟମକରି ବିଫଳ ହେବାପରେ ଗୁରୁବାର ୪ଜଣ ସାମ୍ବାଦିକ ଓ କିଛି ସାମାଜିକ କର୍ମୀ ଜଙ୍ଗଳକୁ ଯାଇ ମାଓବାଦୀଙ୍କ ସହ ଆଲୋଚନା କରିଥିଲେ । ତେବେ ଆଜି ଦିନ ପ୍ରାୟ ୨ଟା ୩୦ମିନିଟ୍ରୁ ଅପରାହ୍ନ ୫ଟା ୩୦ମିନିଟ୍ ପର୍ଯ୍ୟନ୍ତ ମାଓବାଦୀ ମାନେ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ପ୍ରଜାକୋର୍ଟ ଆରମ୍ଭ କରି ଶ୍ରୀ ମାନହାସ୍ଙ୍କୁ ସେଠାରେ ହାଜର କରାଇଥିଲେ । ତାଙ୍କ ହାତ ଓ ଗୋଡରେ ଦୌଡି ବାନ୍ଧି ପ୍ରଜାକୋର୍ଟରେ ହାଜର କରାଯାଇଥିଲା । ମାଓବାଦୀମାନେ କହିଥିଲେ କି ଅପହୃତ ଏହି ସିଆର୍ପିଏଫ୍ ଜବାନ୍ ଜଣେ ସରକାରୀ କର୍ମଚାରୀ ଅଟନ୍ତି । ତେଣୁ ତାଙ୍କ ବିନା ସର୍ତରେ ସେମାନେ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । ପରେ ତାଙ୍କୁ ଚଲାଇ ଚଲାଇ ସାମ୍ବାଦିକ ମାନେ ବାସାଗୁଡା ସିଆର୍ପିଏଫ୍ କ୍ୟାମ୍ପ ପର୍ଯ୍ୟନ୍ତ ଆଣିଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସିଆରପିଏଫ୍ରେ ଉପସ୍ଥିତ ଥିବା ବିଜାପୁର ଏସ୍ପି କମଳଲୋଚନ କାଶ୍ୟପ ମଧ୍ୟ ତାଙ୍କୁ ସାକ୍ଷାତ କରିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ ସୁସ୍ଥ ଥିବା କଥା ଜଣାପଡିଛି । ଆଗାମୀ ଶୁକ୍ରବାର ପୂର୍ବହ୍ନ ୧୦ଟାରେ ସ୍ୱତନ୍ତ୍ର ହେଲିକେପ୍ଟରରେ ଛତିଶଗଡର ରାଜଧାନୀ ରାୟପୁର ସ୍ଥିତ ସିଆର୍ପିଏଫ୍ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯିବ । ଏହି ଅବସରରେ ଶ୍ରୀ ମାନହାସ କହିଛନ୍ତି କି ଶନିବାର ଏନ୍କାଉଂଟରରେ ସମୟରେ ସେ ବେହୋସ୍ ହୋଇପଡିଥିଲେ । ଜଙ୍ଗଲରେ ତାଙ୍କର ଚେତା ଫେରିବା ପରେ ମାଓବାଦୀ ମାନେ ତାଙ୍କୁ ଏକ ଗୁପ୍ତ ସ୍ଥାନକୁ ନେଇଯାଇଥିଲେ । ଓ ସେଠାରେ ଖାଦ୍ୟପେୟ ଦେବାସହ ଭଲ ବ୍ୟବହାର କରିଥିଲେ । ତାଙ୍କ ଉପରେ ମାଓବାଦୀମାନେ କୌଣସି ଅତ୍ୟାଚାର କରିନାହାନ୍ତି ।
ଜମ୍ମୁ କାଶ୍ମୀରର ରାକେଶ୍ୱର ସିଂ ମାନହାସ୍ ଏନ୍କଉାଂଟର ପରେ ପରେ ନିଖୋଜ ହେବା ପରେ ପରେ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିଲେ । ତେବେ ଗୁରୁବାର ସନ୍ଧ୍ୟାରେ ତାଙ୍ୁ ମାଓବାଦୀମାନେ ବିନା ସର୍ତରେ ମୁକ୍ତ କରିଦେଇଥିବାରୁ ତାଙ୍କ ପତ୍ନୀ ମିନୁ ମାନ୍ହାସଙ୍କ ସମେତ ତାଙ୍କର ମାଆ ଓ ୬ବର୍ଷର ଝିଅ ତଥା ସାନଭାଇ ଓ ସାଳକ ପ୍ରମୁଖ ଖୁସିରେ ଅଧୀର ହୋଇପଡିଥିଲେ । ଏହି ଅବସରରେ ପତ୍ନୀ ମିନୁ କହିଥିଲେ କି ଏହି ଘଟଣା ଜାଣିବାପରେ ସେ ଭୟଭୀତ ହୋଇପଡିଥିଲେ । କେବେ ସରକାର, ସାମାଜିକ କର୍ମୀ ଓ ସାମ୍ବାଦିକ ମାନଙ୍କ ଉଦ୍ୟମକ୍ରମେ ତାଙ୍କ ସ୍ୱାମୀଙ୍କୁ ଛାଡିଦେଇଥିବାରୁ ସେ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଗତ ଗୁରୁବାର ସେ ସ୍ୱାମୀଙ୍କ ସହ କଥାବାର୍ତା ହୋଇଥିଲେ । ସ୍ୱାମୀଙ୍କୁ ଖୁବ୍ ଶୀଘ୍ର ସେ ପାଖରେ ପାଇବେ ବୋଲି ଖୁସିର ଲହରି ଖେଳିଯିବା ସହ ମନ୍ଦିରରେ ସପରିବାର ଆଜି ରାତିରେ ପୂଜାର୍ଚ୍ଚନା କରିଥେିଲେ ।