କ୍ୱାରେଣ୍ଟାଇନ୍ ଅବଧିରେ କୋହଳ

- ଏଣିକି ୧୪ଦିନ ବଦଳରେ ୭ ଦିନ
ଭୁବନେଶ୍ୱର : ରାଜ୍ୟ ସରକାର ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ସଙ୍ଗରୋଧ ନିୟମରେ କୋହଳ କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ସଂଶୋଧିତ ନିୟମ ଜାରି କରାଯାଇଛି। ପଶ୍ଚିମବଙ୍ଗରୁ ଯେଉଁମାନେ ଓଡିଶା ଫେରିବେ ଯଦି ତାଙ୍କ ପାଖରେ ଦୁଇପାନ ଟିକା ନେବାର ପ୍ରମାଣପତ୍ର କିମ୍ବା ୪୮ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷା କରାଇ ଆକ୍ରାନ୍ତ ନଥିବା ରିପୋର୍ଟ ଥିବ ତେବେ ସେମାନଙ୍କୁ ୧୪ଦିନ ବଦଳରେ ୭ଦିନ ସଙ୍ଗରୋଧରେ ରହିବାକୁ ପଡ଼ିବ। ଯଦି ସଂପୃକ୍ତ ବ୍ୟକ୍ତିଙ୍କର ଗୃହ ସଙ୍ଗରୋଧରେ ରହିବା ଅସୁବିଧା ଥିବ, ତେବେ ସେମାନେ ସରକାରଙ୍କ ପକ୍ଷରୁ କରାଯାଇଥିବା ଆନୁଷ୍ଠାନିକ ଅସ୍ଥାୟୀ ସ୍ୱାସ୍ଥ୍ୟ ଯତ୍ନ କେନ୍ଦ୍ର କିମ୍ବା ସରକାରୀ ସ୍ୱୀକୃତିପ୍ରାପ୍ତ ଅତିଥିଶାଳାରେ ଦେୟ ଦେଇ ସଙ୍ଗରୋଧରେ ରହିପାରିବେ। ନିର୍ବାଚନ ଡ୍ୟୁଟି କିମ୍ବା ଜରୁରୀ କରୋନା କାର୍ଯ୍ୟରେ ଯାଇଥିଲେ କ୍ୱାରେଣ୍ଟାଇନ୍ ମନା। ତେବେ ସମ୍ପୃକ୍ତ ବ୍ୟକ୍ତିବିଶେଷ ସର୍ବନିମ୍ନ ଜରୁରୀ ଆତଯାତ ହେବାକୁ ନିର୍ଦେଶ ଦିଆଯାଇଛି।
ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, କୌଣସି ବ୍ୟକ୍ତି ପଶ୍ଚିମବଙ୍ଗରୁ ଯେ କୌଣସି ଗାଡିରେ ଓଡିଶାକୁ ଆସିଲେ ବି ସେମାନଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡ଼ିବ। ନଚେତ୍ ତାଙ୍କୁ ଓଡିଶା ଭିତରକୁ ଆସିବାକୁ ଦିଆଯିବ ନାହିଁ। ସେହିପରି ଯେଉଁମାନେ ଝାରସୁଗୁଡା ଓ ଭୁବନେଶ୍ୱର ବିମାନବନ୍ଦର କିମ୍ବା ରେଳପଥ ଦେଇ ପଶ୍ଚିମବଙ୍ଗରୁ ଓଡିଶା ଆସିବେ ସେମାନେ ସମସ୍ତଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡିବ। ଯଦି କୌଣସି ବଙ୍ଗ ଫେରନ୍ତାଙ୍କ ପାଖରେ କରୋନାର ଦୁଇପାନ ଟିକା ନେଇଥିବା ପ୍ରମାଣପତ୍ର ଥିବ କିମ୍ବା ୪୮ ଘଣ୍ଟା ଭିତରେ କରୋନା ଆକ୍ରାନ୍ତ ନଥିବା ନମୁନା ରିପୋର୍ଟ ଥିବେ ତେବେ ତାଙ୍କୁ ୧୪ ବଦଳରେ ୭ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡିବ। କୌଣସି ବ୍ୟକ୍ତି ଯଦି ଏହାର ଉଲ୍ଲଘଂନ କରନ୍ତି ତେବେ ବିପର୍ଯ୍ୟୟ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଶ୍ରୀ ଜେନା ଦର୍ଶାଇଛନ୍ତି।