ସାମସନଙ୍କ ସାନଦାର ଶତକ ସତ୍ତ୍ୱେ ଜିତିଲା ପଞ୍ଜାଵ
- ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନକୁ ୪ ରନରେ ହରାଇଲା ପଞ୍ଜାଵ
ମୁମ୍ବାଇ : ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମ୍ରେ ଖେଳାଯାଉଥିବା ଆଇପିଏଲ୍-୨୦୨୧ର ୪ର୍ଥ ମ୍ୟାଚ୍ରେ ୪ ରନ୍ରେ ଜିତିଲା ପଞ୍ଜାବ କିଙ୍ଗସ୍। ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନଙ୍କ ଲଢୁଆ ଶତକୀୟ ପାରି ଟିମକୁ ବିଜୟୀ କରିପାରିନଥିଲା । ବିଜୟ ପାଇଁ ପଞ୍ଜାବ ୨୨୨ ରନର ବିଜୟ ଲକ୍ଷ୍ୟ ରଖିଥିଲେ ମଧ୍ୟ ରାଜସ୍ଥାନ ଲଢୁଆ ଖେଳ ପ୍ରଦର୍ଶନ କରି ବିଜୟର ଅତି ନିକଟବର୍ତ୍ତୀ ହୋଇ ମାତ୍ର ୪ ରନ ପଛରେ ରହିଥିଲା । ଶତକୀୟ ପାଳି ଖେଳିଥିବା ସଞ୍ଜୁ ଶେଷ ବଲ୍ରେ ୬ ମାରିବା ପରିବର୍ତ୍ତେ ଆଉଟ ହୋଇଯାଇଥିଲେ।
ଆଜି ରାଜସ୍ଥାନ ରୟାଲ୍ସ ଟସ ଜିତି ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଂଜାବ ପକ୍ଷରୁ ଅଧିନାୟକ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ପ୍ରଥମରୁ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ ବି ମୟଙ୍କ ମାତ୍ର ୧୪ ରନ କରି ଆଉଟ ହୋଇଯାଇଥିଲେ । ତେବେ କ୍ରିସ ଗେଲ ପଡ଼ିଆକୁ ଓହ୍ଲାଇବ ପରେ ସ୍କୋର ଗତି ବଢିଯାଇଥିଲା । ଉଭୟ ଗେଲ ଓ ରାହୁଲ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ । ରାହୁଲ ସର୍ବାଧିକ ୯୧ ରନ କରିଥିବାବେଳେ ଗେଲ ୪୦ ରନ ଓ ଦୀପକ ହୁଦା ୬୪ ରନ କରିଥିଲେ । ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୧ ରନ କରିଥିଲା । ଏହାର ଜବାବରେ ସଞ୍ଜୁ ସାମସନ୍ ୧୧୯ ରନର ଧୂଆଁଦାର ଶତକୀୟ ଇନିଂସ୍ ଖେଳିଥିବା ସତ୍ତ୍ୱେ ପରାଜିତ ହୋଇଛି ରାଜସ୍ଥାନ ରୟାଲ୍ସ। ପଞ୍ଜାବର ଅଶ୍ରଦିପ ସିଂହ ଓ ମହମ୍ମଦ ସାମିଙ୍କ ଶାଣିତ ବୋଲିଂ ପାଇଁ ରୋମାଞ୍ଚକର ମ୍ୟାଚରେ ବାଜି ମାରିଛି ପଞ୍ଜାବ କିଙ୍ଗସ୍। ସଞ୍ଜୁ ସାମସନ୍ଙ୍କ ଶତକୀୟ ଇନିଂସ୍ ବଳରେ ରାଜସ୍ଥାନ ଟିମ୍ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ମୋଟ ୨୧୭ ରନ୍ କରିବାରେ ସଫଳ ହୋଇଥିଲା। ଯାହାଫଲରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ୪ ରନରେ ବିଜୟୀ ହୋଇଛି ପଞ୍ଜାବ କିଙ୍ଗସ୍।