ଦାନ୍ତର ସଠିକ୍ ଯତ୍ନ ନେବା ଆବଶ୍ୟକ
ଆପଣ ଦାନ୍ତ ଘଷିବା ବେଳେ ବେଶି ନୁହେଁ କେବଳ ଏକ ମଞ୍ଜି ଆକାରର ଟୁଥ୍ପେଷ୍ଟ ନିଅନ୍ତୁ । ଏହାଛଡ଼ା ପ୍ରତି ତିନିମାସରେ ଥରେ ଟୁଥ୍ବ୍ରଶ୍ ବଦଳାନ୍ତୁ । ମାଢ଼ିରେ ଲାଗିଥିବା ଦାନ୍ତର ପଛପାଖକୁ ଘଷିବାରେ ଅଧିକ ସମୟ ଦିଅନ୍ତୁ । ଆପଣଙ୍କର ପାଟିରେ ଥିବା ଲାଳ ଯୋଗୁଁ ପାଟି ଭଲକରି ନ ଧୋଇଲେ ଦାନ୍ତ ମୂଳରେ ଜମିଥିବା ଖାଦ୍ୟରେ ଜୀବାଣୁ ବୃଦ୍ଧି ପାଇଥାଏ । ପ୍ରତ୍ୟେକଙ୍କ ପାଟିରେ ଲକ୍ଷ ଲକ୍ଷ ଜୀବାଣୁ ରହିଥାନ୍ତି । ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଲା କଠିନ ସ୍ଥାନରେ ରହି ବଂଶ ବୃଦ୍ଧି କରିବା । ଆପଣଙ୍କ ଜାଣିବା କିମ୍ବା ନଜାଣିବାରେ ରାତିଦିନ ଚବିଶ ଘଣ୍ଟା ଓ ବର୍ଷକ ୩୬୫ ଦିନ ଏହି କାମ ଆପେ ଆପେ ହୋଇଥାଏ । ଏଥିରୁ ଦୂରେଇ ହେବନାହିଁ ।
କାରଣ ଜୀବାଣୁ ଆମ ଶରୀରର ଏକ ଅଂଶବିଶେଷ । ଆମର ପସନ୍ଦ ଓ ନାପସନ୍ଦ ଉପରେ ଏହା ନିର୍ଭର କରେନାହିଁ । ଥରେ ସେମାନେ ଦାନ୍ତର ଉପରଭାଗରେ ରହିଲେ ପ୍ଲାକ୍ ତିଆରି କରିଦିଅନ୍ତି । ଏହି ପ୍ଲାକ୍ ଆମର ଦାନ୍ତର ଉପର ଭାଗରେ ଜମିଥିବା ଏକ ଆସ୍ତରଣ । ଏହାକୁ ସକାଳେ ଶୋଇବାରୁ ଉଠିବା ସମୟରେ ଦାନ୍ତରେ ଜିଭ ବୁଲାଇଲେ ଜଣାପଡ଼େ । ଟୁଥ୍ବ୍ରଶ ଦ୍ୱାରା ଏହି ପ୍ଲାକ୍କୁ ହଟାଇ ଆପଣଙ୍କ ଦାନ୍ତର ଯତ୍ନ ନିଅନ୍ତୁ । ଦାନ୍ତର ତଳ ଓ ଉପର, ଭିତର ଓ ବାହାର ପାଖକୁ ଧୀରେ ଧୀରେ ବ୍ରଶକୁ ଘୂରାଇ ଘୂରାଇ ଘଷନ୍ତୁ । ବେଶି ଟାଣକରି ବା ଅଧିକ କୋମଳ କରି ଘଷିବା ଉଚିତ ନୁହେଁ । ଏପରି ନକରିବାର କାରଣ ହେଲା ଖୁବ୍ ଜୋର୍ରେ ଦାନ୍ତ ଘଷିଲେ ମାଢ଼ିରୁ ରକ୍ତ ବାହାରେ ଓ ନରମ କରି ଘଷିଲେ ଦାନ୍ତମୂଳରେ ଜମିଥିବା ଖାଦ୍ୟାଂଶ ଓ ପ୍ଲାକ୍ ବାହାରିପାରେ ନାହିଁ । ତେଣୁ ମଧ୍ୟମଧରଣ ଚାପ ଦେଇ ଦାନ୍ତ ଘଷିବା ଉଚିତ । ଦାନ୍ତର ଯତ୍ନନେବାର ଅନ୍ୟ ଏକ ପଦ୍ଧତି ଅନୁଯାୟୀ ପ୍ରଥମେ ଦାନ୍ତକୁ ଏକ ସୂତାରେ ସଫା କରିନିଅନ୍ତୁ । ଏପରି କରିବା ଦ୍ୱାରା ଦାନ୍ତର ଭିତରେ ଓ ବାହାରେ ଲାଗିଥିବା ପ୍ଲାକ୍ ବାହାରି ଆସେ ଏବଂ ଅନିଷ୍ଟକାରୀ ଜୀବାଣୁକୁ ମାରିବା ସହଜ ହୋଇଥାଏ । ବ୍ରଶ ଠିକ୍ ମାଢ଼ିର ଧାରରେ ରଖି ଛୋଟ ଛୋଟ ଘୂରାଇ ଘୂରାଇ ଦାନ୍ତର ଭିତର ଓ ବାହାରକୁ ବ୍ରଶ କରନ୍ତୁ । ଦାନ୍ତର ଉପରିଭାଗକୁ ସଫା କରିବା ସମୟରେ ବ୍ରଶକୁ ଟିକିଏ ଢଳାଇ ଦିଅନ୍ତୁ । ଆପଣଙ୍କର ଆଗ ଦାନ୍ତର ପଛପାଖକୁ ସଫା କରିବା ସମୟରେ ବ୍ରଶ୍କୁ ସିଧା ଧରି ତଳ ଓ ଉପର କରି ସଫା କରନ୍ତୁ । ପ୍ରତ୍ୟେକ ଦାନ୍ତ ପାଇଁ ଏପରି ବାରମ୍ବାର କରନ୍ତୁ ।
ଷ୍ଟ୍ର ସାହାଯ୍ୟରେ ମିଠା ପାନୀୟ ପିଅନ୍ତୁ । କାରଣ ଏହା ଦାନ୍ତକୁ ମିଠାଜନିତ କ୍ଷତିରୁ ରକ୍ଷା କରେ । ମାଉଥ୍ ୱାଶ୍ ବ୍ୟବହାର କରିବା ସମୟରେ ଏଥିରେ ଯାହା ଲେଖାଅଛି ସେହି ଅନୁଯାୟୀ ବ୍ୟବହାର କରନ୍ତୁ । ଏବେ ବଜାରକୁ ଅନେକ ନୂଆ ଫଳପ୍ରଦ ଟୁଥ୍ପେଷ୍ଟ ଆସିଛି, ଯାହା ଦାନ୍ତକ୍ଷୟରୁ ରକ୍ଷା କରିବା ସହ ଏଥିରେ ଗର୍ତ୍ତ ହେବାକୁ ଦିଏନାହିଁ । ଦନ୍ତ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ଏହାକୁ ବ୍ୟବହାର କରନ୍ତୁ । ପାକସ୍ଥଳୀରେ ଥିବା ଅମ୍ଳ ବେଳେ ବେଳେ ପାଟିକୁ ବାହାରିଆସେ ଯାହା ଦାନ୍ତର ଅନେକ କ୍ଷତି ଘଟାଏ । ଦାନ୍ତ ଚିକିତ୍ସକଙ୍କଠାରେ ଦାନ୍ତ ପରୀକ୍ଷା କରିବା ସମୟରେ ଏହି ବିଷୟ ଧରାପଡ଼ିଥାଏ । ପ୍ରଚୁର କ୍ଷୀର ପିଅନ୍ତୁ । ଏଥିରେ ଥିବା କାଲସିୟମ ହାଡ଼କୁ ଶକ୍ତ ଓ ଦାନ୍ତକୁ ବୃଦ୍ଧି କରିବା ସହ ମଜଭୁତ କରେ ।