ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପ୍ରସ୍ତୁତି
୩୫ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୩୮ ଆଇସୋଲେସନ ଶଯ୍ୟା ବ୍ୟବସ୍ଥା
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କୋଭିଡ଼୍ ପଜେଟିଭଙ୍କୁ କେଉଁଠାରେ ଚିକିତ୍ସା କରାଯିବ ସେଥିପାଇଁ ଗଞ୍ଜାମ ଜିଲ୍ଲାପାଳ ଏସଓପି ଜାରୀ କରିଛନ୍ତି । ଜିଲ୍ଲାର ୩୫ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ୩୩୮ଟି ଆଇସୋଲେସନ ବେଡ୍ ପ୍ରସ୍ତୁତ ହେବ । ଏହି ଆଇସୋଲେସନ ବେଡ୍ ପ୍ରସ୍ତୁତି କରିବାକୁ ସମ୍ପୃକ୍ତ ମେଡ଼ିକାଲ କର୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାରେ ଥିବା ୪ଟି ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ସିଟି ହସ୍ପିଟାଲ ଓ ବ୍ରହ୍ମପୁର ବଡ ମେଡ଼ିକାଲରେ ଆଇସୋଲେସନ ଶଯ୍ୟା ରହିବ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜାରୀ କରିଥିବା ଏସଓପିରେ ଉଲ୍ଲେଖ ରହିଛି ଯେ, ଲକ୍ଷଣଯୁକ୍ତଙ୍କ ପ୍ରଥମେ କୋଭିଡ଼୍ ଟେଷ୍ଟ (ଆଂଟିଜେନ, ଆରଟି-ପିସିଆର) କରାଯିବ । ଯଦି ଆଇସୋଲେସନ ୱାର୍ଡ଼ରେ ଭର୍ତି କରାଯିବାର ଆବଶ୍ୟକତା ପଡେ, ତେବେ ନିକଟସ୍ଥ ଉପଖଣ୍ଡ ଓ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବ । ଲକ୍ଷଣ ବିହୀନ ଆକ୍ରାନ୍ତଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯିବ । ର୍ୟାପିଡ଼୍ ରେସ୍ପନ୍ସ ଟିମ୍ ଏହାର ତଦାରଖ କରିବେ । ଲକ୍ଷଣଯୁକ୍ତ ଓ ସ୍ପର୍ଶକାତର କରୋନା ପଜିଟିଭଙ୍କୁ ସ୍ଥାନୀୟ ମେଡ଼ିକାଲ ଅଫିସରଙ୍କ ପରାମର୍ଶ କ୍ରମେ କୋଭିଡ଼୍ କେୟାର ହେଲଥ ସେଂଟର କିମ୍ବା କୋଭିଡ଼୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ । ଲକ୍ଷଣଯୁକ୍ତ ଗୁରୁତରଙ୍କୁ ସିଧାସଳଖ ବ୍ରହ୍ମପୁର ଏମକେସିଜି କୋଭିଡ଼୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ । କରୋନା ପଜିଟିଭ୍ ରୋଗୀଙ୍କୁ କୋଭିଡ଼୍ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯିବ । କୋଭିଡ଼୍ ଆମ୍ବୁଲାନ୍ସ ଉପଲବ୍ଧ ନଥିଲେ, ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ରେଫର୍ ଲାଗି ବ୍ୟବହାର କରାଯିବ ।