ଦେଶବ୍ୟାପୀ ୧୫୦୦ରୁ ଅଧିକ ପିଏସ୍ଏ ଅକ୍ସିଜେନ ପ୍ଲାଂଟ ପ୍ରତିଷ୍ଠା କରାଯାଉଛି : ପ୍ରଧାନମନ୍ତ୍ରୀ
- ଅକ୍ସିଜେନ ଯୋଗାଣକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସାରା ଦେଶରେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି ଓ ଉପଲବ୍ଧତାରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସ୍ଥିତି ସମୀକ୍ଷା କରିଥିଲେ । ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଶରେ ପିଏସଏ ଅକ୍ସିଜେନ ପ୍ଲାଂଟ ପ୍ରତିଷ୍ଠାରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ସାରା ଦେଶରେ ୧୫୦୦ରୁ ଅଧିକ ପିଏସଏ ଅକ୍ସିଜେନ ପ୍ଲାଂଟ ପ୍ରତିଷ୍ଠା କରାଯାଉଛି, ଯେଉଁଥିରେ ପିଏମ କେୟାର୍ସ ପାଣ୍ଠିରୁ ଯୋଗଦାନରେ ପ୍ରତିଷ୍ଠା କରାଯାଉଥିବା ପ୍ଲାଂଟଗୁଡ଼ିକ ସମେତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଦ୍ୱାରା ପ୍ରତିଷ୍ଠିତ ପ୍ଲାଂଟ ମଧ୍ୟ ସାମିଲ ରହିଛି । ପିଏମ କେୟାର୍ସର ଯୋଗଦାନ ଫଳରେ ପ୍ରତିଷ୍ଠା କରାଯାଇଥିବା ପିଏସଏ ଅକ୍ସିଜେନ ପ୍ଲାଂଟ ଦେଶର ସମସ୍ତ ରାଜ୍ୟ ଓ ଜିଲ୍ଲାରେ ପ୍ରତିଷ୍ଠା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କୁ ଏହି ସୂଚନା ଦିଆଯାଇଥିଲା ଯେ ପିଏମ କେୟର୍ସ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ସମସ୍ତ ପିଏସଏ ଅକ୍ସିଜେନ ପ୍ଲାଂଟ ଥରେ କାର୍ଯ୍ୟକ୍ଷମ ହୋଇଗଲେ ୪ ଲକ୍ଷରୁ ଅଧିକ ଅକ୍ସିଜେନ ଯୁକ୍ତ ଶଯ୍ୟା ପ୍ରତିଷ୍ଠା କରାଯାଇପାରିବ । ଏହି ପ୍ଲାଂଟଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ରାଜ୍ୟ ସରକାରଙ୍କ ସହିତ ମିଶି କାମ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ କହିଥିଲେ । ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ସେମାନେ ଅକ୍ସିଜେନ ପ୍ଲାଂଟକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ସମ୍ପର୍କରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ ନିୟମିତ ଯୋଗାଯୋଗ କରନ୍ତୁ ।
ପ୍ରଧାନମନ୍ତ୍ରୀ ଅଧିକାରୀ ମାନଙ୍କୁ କହିଥିଲେ ଯେ ଅକ୍ସିଜେନ ପ୍ଲାଂଟର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସମ୍ପର୍କରେ ଡାକ୍ତରଖାନାର କର୍ମଚାରୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ସୁବିଧା ସୁନିଶ୍ଚିତ କରାଯିବା ଉଚିତ୍ । ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ପ୍ରତ୍ୟେକ ଜିଲ୍ଲାରେ ପ୍ରଶିକ୍ଷିତ କର୍ମଚାରୀମାନଙ୍କୁ ନିୟୋଜିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ । ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ପ୍ରଶିକ୍ଷଣ ମଡ୍ୟୁଲ ପ୍ରସ୍ତୁତ କରାଯାଇଛି ଏବଂ ଦେଶରେ ପାଖାପାଖି ୮୦୦୦ ବ୍ୟକ୍ତିଙ୍କୁ ପ୍ରଶିକ୍ଷଣ ଦେବା ଆମର ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମେ ସ୍ଥାନୀୟ ଓ ଜାତୀୟ ସ୍ତରରେ ଏହି ଅକ୍ସିଜେନ ପ୍ଲାଂଟଗୁଡ଼ିକର କାର୍ଯ୍ୟ ପ୍ରଦର୍ଶନ ଓ କାର୍ଯ୍ୟପଦ୍ଧତି ଜାଣିବା ଲାଗି ଆଇଓଟି ଭଳି ଉନ୍ନତ ଜ୍ଞାନକୌଶଳ ପ୍ରତିଷ୍ଠା କରିବା ଉଚିତ୍ । ଅଧିକାରୀମାନେ ତାଙ୍କୁ ଅକ୍ସିଜେନ ପ୍ଲାଂଟର ପ୍ରଦର୍ଶନ ଅନୁଧ୍ୟାନ କରିବା ଲାଗି ଆଇଓଟିର ଉପଯୋଗ କରାଯାଉଥିବା ଏକ ପାଇଲଟ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ସ୍ୱାସ୍ଥ୍ୟ ସଚିବ, ଏମଓଏଚୟୁ ସଚିବ ଏବଂ ଅନ୍ୟ ପ୍ରମୁଖ ଅଧିକାରୀଗଣ ଏହି ବୈଠକରେ ଉପସ୍ଥିତ ଥିଲେ ।