ପିପିଲି ଉପ-ନିର୍ବାଚନ : ମଇଦାନକୁ ନ ଯାଇ ଭର୍ଚୁଆଲ୍ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଉ କେଇଟା ଦିନ ପରେ ଅନୁଷ୍ଟିତ ହେବ ପିପିଲି ଉପ-ନିର୍ବାଚନ। ଏହି ପରିପ୍ରେକ୍ଷୀରେ ମଇଦାନରେ ପ୍ରଚାର ତାତି ଜୋର ଧରିଛି । ପିପିଲି ଉପନିର୍ବାଚନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଜୋରଦାର ପ୍ରଚାର ଚଳାଇଛନ୍ତି। କର୍ମୀଙ୍କୁ ବଳ ଦେବା ପାଇଁ ଦୁଇ ଦଳର ହେଭିୱେଟ୍ ନେତା ପ୍ରଚାରରେ ସାମିଲ ହେବେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରୋନା ପାଇଁ ମଇଦାନକୁ ନ ଯାଇ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ପିପିଲିବାସୀଙ୍କୁ ସମ୍ବୋଧିତ କରିବେ। ଏଥି ପାଇଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ବି ବିଜେଡି ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଜିଲ୍ଲାପରିଷଦ ଜୋନ୍ ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଚାଲିବ। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲରେ ନବୀନ ପଟ୍ଟନାୟକ ଭୋଟ ମାଗିବେ ବୋଲି ବିଧାୟକ ଉମା ସାମନ୍ତରାୟ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ବିଜେପି ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୩ ତାରିଖରେ ପ୍ରଚାରକୁ ଓହ୍ଲାଇବେ। ଶ୍ରୀ ପ୍ରଧାନ ପିପିଲିର ରୋଡ୍ ସୋ’ କରିବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଉଦ୍ବୋଧନ ଦେବେ। ବିଜେପି ପକ୍ଷରୁ ଏଥିପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତ କରାଯାଇଛି। ସୂଚନା ଯେ, ଆସନ୍ତା ୧୭ ତାରିଖରେ ପିପିଲିରେ ମତଦାନ। ୧୫ ତାରିଖ ସନ୍ଧ୍ୟାରେ ପ୍ରଚାର େଶଷ ହେବ। ତାହା ପୂର୍ବରୁ ଦୁଇ ଦଳର ଶୀର୍ଷ ନେତୃତ୍ବଙ୍କ ପ୍ରଚାର ରାଜନୈତିକ ମହଲରେ ବେଶ୍ ଗୁରୁତ୍ୱ ବହନ କରୁଛି।