ପଂଚାୟତ ଆଇନ୍ ସଂଶୋଧନ ବିଲ୍ ପାରିତ
- ବିରୋଧୀଙ୍କ ହଟ୍ଟଗୋଳ ଭିତରେ ପାରିତ ହେଲା ୪ଟି ବିଲ୍
ଭୁବନେଶ୍ୱର : ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ୪ ଟି ବିଲ୍ ପାରିତ ହୋଇଛି । ଏହି ବିଲ୍ ଗୁଡିକ ହେଲା ଓଡିଶା ପଂଚାୟତ ଆଇନ ସଶୋଧନ ବିଲ୍ , ଓଡିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ୍, ଓଡିଶା ଗୃହ ବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ୍ ଓ ଭାରତୀୟ ଷ୍ଟାମ୍ପ (ଓଡିଶା ସଂଶୋଧନ) ବିଲ୍ । ଏହା ପରେ ଗୃହ ଆସନ୍ତାକାଲି ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।
ବୁଧବାର ଦିନ ଦ୍ୱିତୀୟାର୍ଦ୍ଧ ବୈଠକରେ ବିରୋଧୀ ଦଳର ନେତାମାନେ ପୁଣି ଥରେ ବାଚସ୍ପତିଙ୍କ ଚାମ୍ବରକୁ ଘେରିଥିଲେ । ଉଭୟ ବିଜେପି ଓ କଂଗ୍ରେସର ବିଧାୟକମାନେ ବାଚସ୍ପତିଙ୍କୁ ତାଙ୍କ ଚେୟାରକୁ ଆସିବାକୁ ଦେଇ ନଥିଲେ । ଫଳରେ ବାଚସ୍ପତିଙ୍କ ବଦଳରେ ଉପବାଚସ୍ପତି ଗୃହ ପରିଚାଳନା କରିଥିଲେ । ବିରୋଧୀ ଦଳମାନେ ବାଚସ୍ପତିଙ୍କ ପୋଡିୟମ ନିକଟରେ ହୋହଲ୍ଲା କରିଥିଲେ । ଏହାରି ଭିତରେ ଗୃହରେ ରିପୋର୍ଟ ଉପସ୍ଥାପନ ଓ ବିଲ ପାରିତ ହୋଇଛି । ପ୍ରଥମାର୍ଦ୍ଧ ବୈକରେ ହିଁ ଖଣି ଦୁର୍ନୀତିକୁ ନେଇ ବିଧାନସଭାରେ ବିରୋଧୀ ହଙ୍ଗାମା କରିଥିଲେ । ଖଣି ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ବାଚସ୍ପତି ଗ୍ରହଣ ନକରିବାରୁ ହଙ୍ଗାମା ହୋଇଥିଲା । ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନ କରିବାରୁ ଗୃହରେ ହୋହାଲା କରିଥିଲେ କଂଗ୍ରେସ ସଦସ୍ୟ । ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ । ବିଜେପି ସଦସ୍ୟମାନେ ବି ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଏପରିକି ଉଭୟ ବିରୋଧୀ ଦଳ ସଦସ୍ୟମାନେ ବାଚସ୍ପତିଙ୍କ ଚ୍ୟାମ୍ବର ଘେରାଉ କରିଥିଲେ ।