୨୦୩୦ ସୁଦ୍ଧା ଓଡିଶାକୁ ଦେଶର ଇସ୍ପାତ ହବ୍ କରାଯିବ : ମୁଖ୍ୟମନ୍ତ୍ରୀ

- ଇସ୍ପାତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଢେଙ୍କାନାଳବାସୀ
- ଢେଙ୍କାନାଳର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ ଶଯ୍ୟା ବିଶିଷ୍ଟ କରାଯିବ
ଭୁବନେଶ୍ୱର : ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍ରେ ପହଂଚିବ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି, ଯାହାଦ୍ୱାରା କି ରାଜ୍ୟରେ ପୁଞ୍ଜି ବିନିଯୋଗ ବଢିଛି । କୋଭିଡ ସତ୍ୱେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ ବୃଦ୍ଧି ପାଇଛି । ନିକଟରେ ରାଜ୍ୟ ସରକାର ଓଡିଶାରେ ୧ ଲକ୍ଷ ୪୭ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି । ଏଥିରେ ମୁଖ୍ୟତଃ ଇସ୍ପାତ ଶିଳ୍ପ ହିଁ ରହିଛି । ଏହି ପ୍ରକଳ୍ପ ମଧ୍ୟରେ ୧୧ ହଜାର କୋଟି ଟଙ୍କାର ଢେଙ୍କାନାଳ ରୁଙ୍ଗଟା ମାଇନ୍ସ ଲିମିଟେଡର ସମନ୍ୱିତ ଇସ୍ପାତ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପରୁ ବର୍ତମାନ ୩ ମିଲିଅନ ଟନ୍ ଇସ୍ପାତ ଉତ୍ପାଦନ ହେଉଥିବା ବେଳେ, ବର୍ତମାନ ଏଥିରୁ ୭.୫୫ ମିଲିଅନ ଟନ୍ ଇସ୍ପାତ ଉତ୍ପାଦିତ ହେବ । ଏହି ସଂପ୍ରସାରିତ ପ୍ରକଳ୍ପ ଢେଙ୍କାନାଳ ଜିଲ୍ଲାରେ ଖୁସି ଆଣିଛି । ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ଲୋକପ୍ରତିନିଧି ମାନଙ୍କୁ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକମାନେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଢେଙ୍କାନାଳ ଜିଲ୍ଲାବାସୀଙ୍କ ଧନ୍ୟବାଦର ଉତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଢେଙ୍କାନାଳ ଜିଲ୍ଲା ପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠ ତଥା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପାଇଁ ପ୍ରସିଦ୍ଧ । ଢେଙ୍କାନାଳର ଖଣିଜ ସଂପଦର ବିନିଯୋଗ କରି ଏହାକୁ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବରେ ଗଢିତୋଳିବା ତାଙ୍କର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏ ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ ସେ ଶାସନ ଦାୟିତ୍ୱ ନେବାବେଳେ ରାଜ୍ୟରେ ମାତ୍ର ୨ ମିଲିଅନ ଟନ୍ ଇସ୍ପାତ ଉତ୍ପାଦିତ ହୋଇଥିବା ବେଳେ ବର୍ତମାନ ଏହା ୩୦ ମିଲିଅନ ଟନ୍ରେ ପହଂଚିପାରିଛି । ଇସ୍ପାତ କାରଖାନା ଯୋଗୁ ହିଁ ଆମେ ଆଜି ଦେଶର ୧୭ଟି ରାଜ୍ୟକୁ କୋଭିଡର ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ ଯୋଗାଇ ବହୁ ଜୀବନ ରକ୍ଷା କରିପାରିଛୁ । ତେଣୁ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଯେପରି ଠିକ୍ ସମୟରେ ଶେଷ ହେବ, ସେଥିପାଇଁ ଲୋକପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନସାଧାରଣ ସମସ୍ତଙ୍କ ସହଯୋଗ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଢେଙ୍କାନାଳ ଜିଲ୍ଲାରେ ବର୍ତମାନ ଚାଲିଥିବା ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଂଚିଛି ଏବଂ ଏହାଦ୍ୱାରା ଜିଲ୍ଲାର ୮ଟି ବ୍ଲକ ଓ ସବୁ ସହରାଂଚଳରେ ଘରେ ଘରେ ପାଇପ ପାଣି ସୁବିଧାରେ ମିଳିପାରିବ । ଜିଲ୍ଲାରେ ଲୋକମାନଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ପଦକ୍ଷେପ ନିଆଯାଇଛି ।ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ଢେଙ୍କାନାଳ ଜିଲ୍ଲାର ବିକାଶ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ମାଇଲ ଖୁଂଟହେବ । ଢେଙ୍କାନାଳ ଜିଲ୍ଲାକୁ ଶିଳ୍ପ ସମୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଉଦ୍ୟମ କୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଶ୍ରୀ ମହେଶ ସାହୁ, ବିଧାୟକ ସୁଧୀର ସାମଲ, ଡଃ ନୃସିଂହ ସାହୁ, ହିନ୍ଦୋଳ,ଓଡାପଡା ବ୍ଲକ୍ର ଅଧ୍ୟକ୍ଷ, ପ୍ରକଳ୍ପ ଅଂଚଳର ଲୋକପ୍ରତିନିଧି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଜିଲ୍ଲାର ଆର୍ôଥକ ବିକାଶରେ ଏହି ପ୍ରକଳ୍ପ ବିଶେଷ ସହାୟକ ହେବା ସହ ଯୁବ ସମାଜ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବ ବୋଲି ଆଶାପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ସଂଚାଳନ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ୨୦ ବର୍ଷ ତଳେ ଓଡିଶା ବିଭିନ୍ନ କ୍ଷେତ୍ରରେ ଅନ୍ୟ ରାଜ୍ୟର ସହଯୋଗ ଉପରେ ନିର୍ଭର କରୁଥିବା ବେଳେ ଆଜି ଓଡିଶା ଅନ୍ୟ ରାଜ୍ୟକୁ ସହଯୋଗର ହାତ ବଢାଇବ ସହ ବିକାଶର ଛବିକୁ ଅଧିକ ଉଜ୍ଜଳ କରିପାରିଛି । ଏହି କାର୍ଯ୍ୟକ୍ରମ ଭିଡ଼ିଓ କନ୍ ଫରେନସି ଜରିଆରେ ଅନୂଷ୍ଠିତ ହୋଇଥିଲା ।