ବାଲେଶ୍ୱର : ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ବନ୍ଦ ସଫଳ

ବାଲେଶ୍ୱର : ପେଟ୍ରୋଲ୍, ଡିଜେଲ୍, ଜାଳେଣି ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧିକୁ ବିରୋଧ କରି ବାମପନ୍ଥୀଦଳମାନଙ୍କ ଆହ୍ୱାନ ଏବଂ କଂଗ୍ରେସ ଦଳର ସମର୍ଥନରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ବାଲେଶ୍ୱରରେ ସଫଳ ହୋଇଛି । ଗୁରୁବାର ଦିନ ସକାଳ ୬ ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବାମ ଓ କଂଗ୍ରେସ ଦଳର ନେତା ଓ କର୍ମୀମାନେ ଏହି ବନ୍ଦକୁ ସଫଳ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖାଯାଇଥିଲା । ବାଲେଶ୍ୱର ରେଳଷ୍ଟେସନରେ ବିକ୍ଷୋଭକାରୀମାନେ ହାଓଡ଼ା ଅଭିମୁଖେ ଯାଉଥିବା କରମଣ୍ଡଳ ଓ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବାଙ୍ଗିରୀପୋଷି ସୁଫରଫାଷ୍ଟ୍ ଟ୍ରେନ୍କୁ କିଛି ସମୟ ଅଟକାଇବା ପରେ ଛାଡ଼ିଦେଇଥିଲେ । ସହରରେ ଥିବା ସମସ୍ତ ଘରୋଇ ବ୍ୟାଙ୍କ, ସମବାୟ ବ୍ୟାଙ୍କ୍, ସରକାରୀ ବ୍ୟାଙ୍କ୍ ଓ ଜୀବନବୀମା, ବିଏସ୍ଏନ୍ଏଲ୍, ମୁଖ୍ୟ ଡାକଘର ସମ୍ମୁଖରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରି ବନ୍ଦ କରାଇଥିଲେ । ଅଦାଲତ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କାରଣରୁ ଜିଲ୍ଲା ଜଜ୍ ଓ ଅନ୍ୟ ସମସ୍ତ ବିଚାରପତି ଅଦାଲତ ଫାଟକ ନିକଟରୁ ଫେରି ଯାଇଥିଲେ । ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କୌଣସି ଓକିଲ କୋର୍ଟ ପରିସରକୁ ଆସିନଥିଲେ ।
ବାଲେଶ୍ୱର ସହରର ପ୍ରମୁଖ ବ୍ୟବସାୟ କେନ୍ଦ୍ର ମୋତିଗଞ୍ଜ ଓ ନୂଆବଜାରର ସମସ୍ତ ଦୋକାନ ବନ୍ଦ ଥିଲା । ଜିଲ୍ଲାପାଳଙ୍କ ଦପ୍ତର, ପୌରକାର୍ଯ୍ୟାଳୟ, ବ୍ଲକ୍ ଓ ତହସିଲ୍ ଅଫିସ୍ ସମ୍ମୁଖରେ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ଫଳରେ କର୍ମଚାରୀମାନଙ୍କ ସଠିକ୍ ଉପସ୍ଥାନ ହୋଇପାରିନଥିଲା । ରିକ୍ସା ଓ ଅଟୋଚାଳକମାନେ ବନ୍ଦକୁ ସମର୍ଥନ ଜଣାଇଥିଲେ । ଷ୍ଟେସନ ଛକ ଫକୀରମୋହନ ଗୋଲେଇରେ କେତେକ ଚାରିଚକିଆ ଯାନକୁ ଆନ୍ଦୋଳନକାରୀମାନେ ଅଟକାଇଥିବାର ଦେଖାଯାଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ୍ ମୁତୟନ ଥିଲେ । କରୋନା ମହାମାରୀ ସମୟରେ ସମସ୍ତ ପରିବାରର ଆୟହ୍ରାସ ପାଇଥିବା ବେଳେ ଦରଦାମ୍ ବୃଦ୍ଧି ବିରୋଧି ଆନ୍ଦୋଳନକୁ ଜନସାଧାରଣ ସ୍ୱତଃସ୍ଫୂର୍ତ୍ତ ସମର୍ଥନ ଜଣାଇଥିବାର ଦେଖାଯାଇଥିଲା । ପେଟ୍ରୋଲ୍ ପମ୍ପ୍ଗୁଡ଼ିକ ପ୍ରାୟତଃ ବନ୍ଦ ଥିଲା । ସିପିଆଇ, ସିପିଆଇ (ଏମ୍), ଫରୱାର୍ଡ଼ ବ୍ଲକ୍ ଓ କଂଗ୍ରେସ୍ ଦଳର କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରି ସହରରେ ମୋଟର ସାଇକେଲ୍ ଶୋଭାଯାତ୍ରା କରିଥିଲେ ।
ସିପିଆଇ ତରଫରୁ ଜିଲ୍ଲା ସହସଂପାଦକ ଭାଗବତ ପ୍ରତିହାରୀଙ୍କ ସମେତ ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା, ଜତିନ୍ ପାତ୍ର, ବନ୍ଦନା ବିଶ୍ୱାସ, ନିରଞ୍ଜନ ପରିଡ଼ା, ତପନ ସିଟ୍, ଶଶିକାନ୍ତ ବେହେରା, ମନ୍ମଥ ପରିଡ଼ା, ବେଣୁଧର ବାରିକ, ସିପିଆଇ (ଏମ୍) ଜିଲ୍ଲା ସଂପାଦକ ଶିଶିର ହୁଇଙ୍କ ସମେତ ନିକୁଞ୍ଜ ବସନ୍ତ ରାୟ, ରାଜକିଶୋର ଲେଙ୍କା, ନିର୍ମଳ ନାୟକ, ଶ୍ୟାମସୁନ୍ଦର ଜେନା, ସାଇକିଙ୍କର ନାୟକ, ଅସିତ ବରଣ ଦାସ, ସୁଶାନ୍ତ ନାୟକ, ଫରୱାଡ଼୍ର୍ ବ୍ଲକ୍ ତରଫରୁ ଜିଲ୍ଲା ସଂପାଦକ ସର୍ବେଶ୍ୱର ମିଶ୍ରଙ୍କ ସମେତ ଲକ୍ଷ୍ମୀଧର ଗିରି, ଗଦାଧର ଜେନା, କଂଗ୍ରେସ ଦଳର ଜିଲ୍ଲା ସଭାପତି ସଂଜୀବ ଗିରିଙ୍କ ସମେତ ଅର୍ଚ୍ଚନା ନନ୍ଦୀ, ପ୍ରଜ୍ଞା ପାରମିତା ମହାନ୍ତି, ବିକାଶ ଦାସ, ଜ୍ୟୋତ୍ସ୍ନା ସେନାପତି, ରଞ୍ଜନ ଦାସ, ଗୋପୀନାଥ ପାଢ଼ି, ବିଦ୍ୟାଧର ମହାନ୍ତି, ସୁଶାନ୍ତ ପରିଡ଼ା ଓ ଇଂ. ଅସଗର ଅଲ୍ଲି ପ୍ରମୁଖ ଏହି ବନ୍ଦ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ । ଏସ୍ୟୁସିଆଇ ପାର୍ଟିର କର୍ମୀମାନେ ଦରବୃଦ୍ଧିକୁ ବିରୋଧ କରି ସହରରେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖାଯାଇଥିଲା । ବନ୍ଦ୍ ର ସଫଳତା ପାଇଁ ବାମ ଓ କଂଗ୍ରେସ ଦଳ ନେତୃତ୍ୱ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ।