ଧାର୍ମିକସ୍ଥଳକୁ ପ୍ରବେଶ କରିପାରିବେନି ଏକକାଳୀନ ୫ରୁ ଅଧିକ
- ବିନା ମାସ୍କରେ ଲୋକଙ୍କୁ ମନ୍ଦିରରେ ପ୍ରବେଶ ନିଷେଧ
ଲକ୍ଷ୍ନୌ : ସାରା ଦେଶରେ ମହାମାରୀ କରୋନା ଏବେ ମୁଣ୍ଡ ଟେକିଲାଣି । ହୁ ହୁ ହୋଇ ବଢି ଚାଲିଛି ସଂକ୍ରମଣ । ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା ପୁଣି ଥରେ ଉଗ୍ର ରୂପଧାରଣ କରୁଛି । ଫଳରେ କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । ନିୟନ୍ତ୍ରଣ ପାଇଁ ଏବେ ଯୋଜନା ପ୍ରସ୍ତୁତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଧାର୍ମିକ ସ୍ଥଳରେ ଏକକାଳୀନ ୫ରୁ ଅଧିକ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆ ନଯାଉ । ବଜାରରେ ବ୍ୟବସାୟୀଙ୍କ ସହତ କଥା ହୋଇ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କାରବାର କରନ୍ତୁ ।
ସୂଚନା ଯେ, ଆଗକୁ ନବରାତ୍ର ଓ ରମଜାନ ମାସ ଆରମ୍ଭ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ବିସ୍ତୃତ ଯୋଜନା କରୁଥିବା ଅନୁମାନ କରାଯାଉଛି । ଏହାରି ମଧ୍ୟରେ ମଥୁରା ଜିଲ୍ଲା ପ୍ରଶାସନ ବିନା ମାସ୍କରେ ଲୋକଙ୍କୁ ମନ୍ଦିରରେ ପ୍ରବେଶ ନିଷେଧ କରିଛନ୍ତି । ଜିଲ୍ଲାପାଳ ନବନୀତ ସିଂହ ଚହଲ କହିଛନ୍ତି, ମଥୁରା, ବୃନ୍ଦାବନ, ଗୋବର୍ଦ୍ଧନ, ବରସାନା ସମେତ ଅନ୍ୟ ମନ୍ଦିରରେ ମାସ୍କ ବିନା କୌଣସି ବ୍ୟକ୍ତିଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ।