ବିଜେପି ଛାଡିଲେ ସୁକାନ୍ତ : ବିଜେଡିରେ ଯୋଗଦେବା ନେଇ ନିଷ୍ପତ୍ତି ନେଇପାରନ୍ତି!
![](https://thetruths.in/wp-content/uploads/2022/01/Nilgiri-MLA-Er.-Sukanta-Nayak.jpg)
ନୀଳଗିରି : (ପ୍ରଶାନ୍ତ କୁମାର ବିଶ୍ବାଳ) ସବୁ କଳ୍ପନା ଜଳ୍ପନାର ଅନ୍ତ, ଶେଷରେ ବିଜେପି ଛାଡିଲେ ସୁକାନ୍ତ। ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା। ଶୁକ୍ରବାର ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ନୀଳଗିରି କାର୍ଯ୍ଯାଳୟରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ବିଜେପିରୁ ଇସ୍ତଫା ଦେଇଥିବାର ସୂଚନା ଦେଇଛନ୍ତି। ଏହା ସହ ସେ ତାଙ୍କ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ବିଜେପି ସଭାପତି ମନମୋହନ ସାମଲଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ଶ୍ରୀ ନାୟକ କେଉଁ ଦଳରେ ଯୋଗଦେବେ ଏନେଇ ସେ ମୁହଁ ଖୋଲିନାହାନ୍ତି। ବିଧାୟକ ଶ୍ରୀ ନାୟକ ବିଜେଡିରେ ଯୋଗଦାନ ନିଷ୍ପତ୍ତି ନେଇପାରନ୍ତି ବୋଲି ତାଙ୍କ ନିକଟତମ ସହଯୋଗୀଙ୍କ ପାଖରୁ ଶୁଣିବାକୁ ମିଳୁଛି। ସୁକାନ୍ତ ବିଜେପି ଛାଡ଼ିବା ସଂକ୍ରାନ୍ତରେ ଗତ କିଛିଦିନ ହେବ ଆଭାସ ମିଳିଥିଲା ବେଳ ତାଙ୍କୁ ବିଜେପି ଦଳରେ ଅଣଦେଖା ପ୍ରମୁଖ ବିଷୟ ହୋଇଥିଲା।
ସୁଚନା ସୁକାନ୍ତ ଛାତ୍ର ଜୀବନରୁ ବିଜୁବାବୁଙ୍କ ନୀତି ଆଦର୍ଶକୁ ଅନୁସରଣ କରି ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ନିଜ ପଞ୍ଚାୟତରେ ୧୯୯୨ରୁ ୧୯୯୪ ପର୍ଯ୍ୟନ୍ତ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଲୋକଙ୍କର ସେବା ଆରମ୍ଭ କରିଥିଲେ। ପରେ ୧୯୯୪ ମସିହାରେ ଯୁବ ଇଞ୍ଜିନିୟର ଭାବରେ ଓଡ଼ିଶା ସରକାରଙ୍କ ଜଳସେଚନ ବିଭାଗରେ ଯୋଗଦେଇ ଚାକିରୀ ଜୀବନ ଆରମ୍ଭ କରିଥିଲେ। ୨୦୧୪ ମସିହାରେ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଥିବା ବେଳେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ଜନସେବାକୁ ଆପଣେଇ ନେଇଥିଲେ । ୨୦୧୪ରେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ବିଜେଡ଼ିରୁ ସୁକାନ୍ତ ପ୍ରାର୍ଥୀ ହୋଇ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ମହିଳା ପ୍ରାର୍ଥୀ ସୁଷମା ବିଶ୍ବାଳଙ୍କୁ ୧୩ ହଜାର ୭ ଶହ ଖଣ୍ଡ ଭୋଟରେ ପରାଜିତ କରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ନିଜର ଲୋକପ୍ରିୟତା ଦର୍ଶାଇଥିଲେ। ପରବର୍ତ୍ତୀ ୨୦୧୯ ମସିହା ନିର୍ବାଚନରେ ଜିଲ୍ଲା ସଭାପତିଙ୍କ ସହିତ ମନୋମାଳିନ୍ୟ ଯୋଗୁଁ ବିଜେଡ଼ି ଦଳ ଛାଡି ଭାରତୀୟ ଜନତା ପାର୍ଟିରରେ ଯୋଗ ଦେଇଥିଲେ। ଉକ୍ତ ନିର୍ବାଚନରେ ସନ୍ତୋଷ ଖଟୁଆ କଡ଼ା ଟକ୍କର ଦେଇଥିଲେ ହେଁ ସୁକାନ୍ତ କୁମାର ନାୟକ ବାଜି ମାରି ନେଇଥିଲେ। ସୁକାନ୍ତ ୬୯୫୧୭ ଖଣ୍ଡ ଭୋଟ ପାଇଥିବା ବେଳେ ସନ୍ତୋଷ ଖଟୁଆ ୬୭୫୧୭ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ। ଶ୍ରୀ ନାୟକ ତାଙ୍କର ଦ୍ଵିତୀୟ କାର୍ଯ୍ୟକାଳ ସମୟରେ ବିରୋଧୀ ଦଳରେ ବିଧାୟକ ଥାଇ ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ବହୁ ଜନକଲ୍ୟାଣକାରୀ ଯୋଜନା ଆଣିବାରେ ସକ୍ଷମ ହୋଇ ପାରିଥିବାରୁ ନୀଳଗିରିବାସୀଙ୍କ ର ପ୍ରିୟଭାଜନ ହୋଇ ପାରିଛନ୍ତି।