ଜୁନ୍ ୩୦ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ
- ନବମ-ଦଶମ ପରୀକ୍ଷାର ମୂଲ୍ୟାଙ୍କନକୁ ଗୁରୁତ୍ୱ
ଭୁବନେଶ୍ୱର : ନବମ ଓ ଦଶମ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନକୁ ନେଇ ଦଶମ ପରୀକ୍ଷା ଫଳ ପ୍ରକାଶ କରାଯିବ । ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଫଳକୁ ବିଚାର କରାଯିବ । ସେହିପରି ଦଶମ ଶ୍ରେଣୀର ୨ୟ, ୩ୟ ଓ ୪ର୍ଥ ଅଭ୍ୟାସ ପରୀକ୍ଷାର ଫଳକୁ ବିଚାରକୁ ନିଆଯିବ । ଦଶମ ଶ୍ରେଣୀର ୩ଟି ଅଭ୍ୟାସ ପରୀକ୍ଷାର ୨ଟି ସର୍ବୋଚ୍ଚ ମାର୍କକୁ ବିଚାରକୁ ନିଆଯିବ । ନବମ ଶ୍ରେଣୀର ସର୍ବୋଚ୍ଚ ମାର୍କର ୪୦ ପ୍ରତିଶତ ଓ ଦଶମ ଶ୍ରେଣୀର ୬୦ ପ୍ରତିଶତ ମାର୍କକୁ ଗୁରୁତ୍ୱ ଦିଆଯିବ । ଆସନ୍ତା ଜୁନ ମାସ ୩୦ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ନେଇ ପଦ୍ଧତି ଚୂଡ଼ାନ୍ତ ହୋଇଛି ।
ଦଶମରେ କୌଣସି ପରୀକ୍ଷା ଦେଇ ନଥିଲେ ନବମ ମାର୍କକୁ ବିଚାର କରାଯିବ । ଦଶମରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦% ମାର୍କକୁ ଗୁରୁତ୍ୱ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସେହିପରି ରେଜଲ୍ଟ ପ୍ରସ୍ତୁତି ପାଇଁ ୨୭୬୬ଟି ସ୍କୁଲକୁ ମେଂଟର ସ୍କୁଲ ଭାବେ ଘୋଷଣା କରାଯାଇଛି । ମେଂଟର ସ୍କୁଲର ପ୍ରଧାନ ଶିକ୍ଷକ ସବୁ ସ୍କୁଲର ମାର୍କ ଅପଲୋଡ୍ କରିବେ । ପ୍ରତିଟି ବିଷୟ ଅନୁସାରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ନମ୍ବର ଅପଲୋଡ୍ କରାଯିବ । ମେ ୨୪ରୁ ୩୧ ତାରିଖ ମଧ୍ୟରେ ପ୍ରଧାନ ଶିକ୍ଷକ ମାର୍କ ଅପଲୋଡ୍ କରିବେ । ଉଲ୍ଲେଖ୍ୟଯୋଗ୍ୟ ଯେ ଗତ ଏପ୍ରିଲ୍ ୨୪ ତାରିଖରେ ମାଟ୍ରିକ୍ ପରୀକ୍ଷାକୁ ଆନୁଷ୍ଠାନିକ ଭାବେ ବାତିଲ୍ କରାଯାଇଥିଲା ।