ଅପହୃତ ଯବାନଙ୍କୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି : ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ । ଅପହୃତ ଯବାନଙ୍କୁ ହତ୍ୟା କଲେ ମାଓବାଦୀ । ଛତିଶଗଡ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ଅନ୍ତର୍ଗତ ପାଲନାର ଗାଁରୁ ଅପହୃତ ଡିଆରଜି ଜବାନଙ୍କ ସବ୍ ଇନିସପେକଟର ମୁରଲି ତାତିଙ୍କୁ ମାଓବାଦୀ ମାନେ ହତ୍ୟା କରିଛନ୍ତି । ଅପହରଣର ତିନି ଦିନ ପରେ ଶୁକ୍ରବାର ପ୍ରଜା କୋର୍ଟରେ ଡିଆରଜି ଜବାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିଇଥିବା ମାଓବାଦୀଙ୍କ ପଶ୍ଚିମ ବସ୍ତର ଡିଭିଜନ ଏକ ଚିଠିରେ ଉଲ୍ଲେଖ କରିଛନ୍ତି । ପିଏଲଜିଏ ଦ୍ୱାରା ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ମାଓବାଦୀମାନେ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଅପହରଣ ପରେ ତାଙ୍କୁ ଛାଡ଼ିଦେବା ପାଇଁ ଏସଆଇଙ୍କ ପରିବାର ଲୋକେ ମାଓବାଦୀଙ୍କୁ ଗୁହାରି କରିଥିଲେ ମଧ୍ୟ ମାଓବାଦୀମାନେ ତାଙ୍କ ଗୁହାରି ଶୁଣିନଥିଲେ। ମୃତ ଏସଆଇ ଗାଁ ଲୋକଙ୍କୁ ହଇରାଣ କରିବା ସହ ମାଓବାଦୀଙ୍କୁ ଟାର୍ଗେଟ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ମାଓବାଦୀମାନେ ପ୍ରେସ ବିଜ୍ଞପ୍ତିରେ ଲେଖିଛନ୍ତି।
ସୂଚନା ଯେ, ଜଗଦଲପୁର ଠାରେ କାର୍ଯ୍ୟରତ ଥିବା ଏସ.ଆଇ. ମୁରଲି ତାତି ଗତ ଏକ ମାସ ଧରି ଛୁଟିରେ ନିଜ ଘର ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅନ୍ତର୍ଗତ ପାଲନାଡ ଗାଁ କୁ ଯାଇଥିଲେ । ହେଲେ ଗତ ୨୧ ତାରିଖ ଦିନ ପାଲନାଡ ଗାଁ ନିକଟରେ ଏକ ମେଳା ଚାଲିଥିବା ବେଳେ ମୁରଲି ସେଠାରେ ଯାଇଥିଲେ । ମେଳାରେ ଉପସ୍ଥିତ ଥିବା ଚାରି ଜଣ ମାଓବାଦୀମାନେ ବନ୍ଧୁକ ଦେଖାଇ ମୁରଲିଙ୍କୁ ଅପହରଣ କରିନେଇଥିଲେ । ଗତ ତିନି ଦିନ ଧରି ମୁରଲିଙ୍କ ସ୍ତ୍ରୀ ଓ ସାନ ଭାଇ ବିଜାପୁର ଜିଲ୍ଲାର ଭିତରେ ଥିବା ବିଭିନ୍ନ ଗାଁକୁ ଯାଇଥିଲେ , କିନ୍ତୁ ମୁରଲି କିମ୍ବା ମାଓବାଦୀଙ୍କ ସମ୍ପର୍କରେ କୌଣସି ସୁରାଗ ପାଇନଥିଲେ । ଏବେ ଘଟଣାର ତିନି ଦିନ ପରେ ଏଭଳି ଦୁଃଖଦାୟକ ଖବର ଆସିଛି । ମୁରଲୀଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ତାହା ପୁଣି ପ୍ରଜାକୋର୍ଟର ନିଷ୍ପତ୍ତିରେ ।