ରିଲିଫ ଚାଉଳ ବଣ୍ଟନରେ ବ୍ୟାପକ ଜାଲିଆତି ନେଇ ଅଭିଯୋଗ ଆଣିଲେ ମାନସ ଦତ୍ତ
![](https://thetruths.in/wp-content/uploads/2021/06/BJP-1024x618.jpg)
- ସରକାରୀ କାଗଜରେ ଥିବା ପରିମାଣ ସହ ବଣ୍ଟନ ପରିମାଣ ମିଶୁନାହିଁ
- ଛାନୁଆ ପଞ୍ଚାୟତ ରିଲିଫ ନୋଡ଼ାଲ ଅଫିସରଙ୍କ ଉପସ୍ଥିତିରେ ଲୋକଙ୍କ ଚାଉଳକୁ ବାଟ ମାରଣା କରାଯାଉଛି
- ରିଲିଫ ସାମଗ୍ରୀ ଜାଲିଆତି କରିବା ଏକ ଜଘନ୍ୟ ଅପରାଧ, ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ
ବାଲେଶ୍ୱର : ସାମୁଦ୍ରିକ ବାତ୍ୟା ‘ୟାସ୍’ର ପ୍ରଭାବରେ ବାଲେଶ୍ୱର ସଦର ବ୍ଲକର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେହି ଅଞ୍ଚଳରେ ବସବାସ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କେନ୍ଦ୍ରର ମୋଦି ସରକାର ବାତ୍ୟାର ମୁକାବିଲା କରିବା ପାଇଁ ଓଡ଼ିଶା ସରକାରଙ୍କୁ ୧୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନ ଦେଇଛନ୍ତି । କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ବାତ୍ୟା ପରେ ସାଧାରଣ ଲୋକ ଖାଦ୍ୟ ଅଭାବ ଅନଟନ ମଧ୍ୟରେ ଥିବା ବେଳେ ସରକାର ରିଲିଫ ଦେବା ନାମରେ ସାଧାରଣ ଲୋକଙ୍କୁ ଠକି ଚାଲିଛନ୍ତି । ଏନେଇ ବୁଧବାର ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପ ସଭାପତି ତଥା ଯୁବନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ସଦର ଭାଜପା କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ବୋଝ ଉପରେ ନଳିତା ବିଡ଼ା ସଦୃଶ ମହାମାରୀ କରୋନା ସମୟରେ ‘ୟାସ୍’ ବାତ୍ୟା ସାଧାରଣ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ସହିତ ମାନସିକ ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି । କେବଳ ଗରିବ ଦୁଃଖି, ସାଧାରଣ ବର୍ଗର ଲୋକ ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ବୋଲି ମୋଦି ସରକାର ରାଜ୍ୟକୁ ଅକୁଣ୍ଠ ଚିତ୍ତରେ ଆର୍ଥିକ ସହାୟତା କରିଚାଲିଛି । କିନ୍ତୁ ଏଠାରେ ରାଜ୍ୟ ସରକାର ଘୋଷଣା କରିଥିବା ବାତ୍ୟା ପ୍ରଭାବିତ ଅଞ୍ଚଳରେ ୭ ଦିନିଆ ମାଗଣା ଚାଉଳ ବଣ୍ଟନ ପ୍ରକ୍ରିୟାରେ ପ୍ରସ୍ତୁତି ଚିଠା ଠାରୁ ଲୋକଙ୍କୁ କମ୍ ପରିମାଣ ଦିଆଯାଉଛି । ଗତ ମଙ୍ଗଳବାର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତରେ ସରକାରୀ ରିଲିଫ ନୋଡ଼ାଲ ଅଫିସରଙ୍କ ଉପସ୍ଥିତିରେ ସରକାରୀ ଅର୍ଡ଼ର ମୁତାବକ ଚାଉଳ ବଣ୍ଟନ କରାଯାଉ ନଥିବା ନଜରକୁ ଆସିଛି । ନୋଡ଼ାଲ ଅଫିସର ନିଜେ ରିଲିଫ ଚାଉଳ ପରିମାଣ ଲେଖୁଛନ୍ତି ଯାହା, ଦେବା ବେଳକୁ କମ୍ ପରିମାଣ ଦେଉଛନ୍ତି, ଏନେଇ ସାଧାରଣ ଲୋକ ଓ ସରକାରୀ ଅଫିସରଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି କଠିନ ସମୟରେ ଗରିବ ଲୋକଙ୍କ ରଲିଫ ଚାଉଳକୁ ବାଟମାରଣା କରିବା ଏକ ଜଘନ୍ୟ ଅପରାଧ ବୋଲି ଯୁବନେତା ମାନସ ଦତ୍ତ କହିଛନ୍ତି । ତେଣୁ ଛାନୁଆ ପଞ୍ଚାୟତର ନୋଡ଼ାଲ ଅଫିସର ତଥା ଚାଉଳ କେଳେଙ୍କାରୀରେ ସମ୍ପୃକ୍ତ ସରକାରୀ ଅଫିସରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଭାଜପା ଦାବି କରିଛି । ଖବରଦାତା ସମ୍ମିଳନୀରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୂୟାଁ, ସତ୍ୟଜିତ ମିଶ୍ର, ପ୍ରବୀର ଶଙ୍କର ଦାଶ, ସୁବାଷ ବେହେରା, ଭାଗ୍ୟଧର ଦାସ, ରାଜେନ୍ଦ୍ର ଚାଟାର୍ଜୀ, ଜୟନ୍ତୀ ଦଳେଇ, ଇଶ୍ୱର ବାରିକ, ରାମଚନ୍ଦ୍ର ମହାନ୍ତି, ଅରୁପ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।