ଶୁକ୍ରବାର କରନ୍ତୁ ବିଶେଷ ଉପାୟ : ସୁଖ, ସମୃଦ୍ଧତା ବୃଦ୍ଧି ହେବ
ଶୁକ୍ରବାର ଧନର ଦେବୀ ଲକ୍ଷ୍ମୀଙ୍କର ବୋଲି ମଧ୍ୟ ବିବେଚନା କରାଯାଏ । ତାଙ୍କର ଆଶୀର୍ବାଦ ହେତୁ ଘରେ ଅନ୍ନ ଏବଂ ଧନ ରହିଥାଏ । ତେଣୁ କିଛି ବିଶେଷ ଉପାୟ କରି ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ପ୍ରଶନ୍ନ କରିପାରିବେ । ଜୀବନରେ ଅନ୍ନ ଏବଂ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇ ସୁଖ, ସମୃଦ୍ଧତା ବୃଦ୍ଧି ହେବ ।
ଶୁକ୍ରବାର ରଖନ୍ତୁ ବ୍ରତ :
ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ବିଧିବଦ୍ଧ ଭାବରେ ପୂଜା କରନ୍ତୁ । ଆହୁରି ମଧ୍ୟ ସନ୍ଧ୍ୟାବେଳେ ଦେବୀଙ୍କ ଆଗରେ ଦେଶୀ ଘିଅରେ ଏକ ଦୀପ ଜାଳନ୍ତୁ । ତା’ପରେ ହଳଦୀ, ସିନ୍ଦୁର ଲଗାଇ ଗୋଲାପ ଫୁଲ ଚଢାନ୍ତୁ । ଦେବୀ ଲକ୍ଷ୍ମୀଙ୍କୁ କ୍ଷୀର ଏବଂ ଗୁଡରେ ପ୍ରସ୍ତୁତ ମିଠା ଭୋଗ ଅର୍ପଣ କରନ୍ତୁ । ଦେବୀ ଲକ୍ଷ୍ମୀଙ୍କର ଧଳା ରଙ୍ଗ ଅତି ପ୍ରିୟ ହୋଇଥିବାରୁ ଧଳା ରଙ୍ଗର ମିଠା ଅର୍ପଣ କରନ୍ତୁ । ଏହାଦ୍ୱାରା ଘରେ ଅନ୍ନ ଏବଂ ଧନର ଅଭାବ ରହିବ ନାହିଁ । ସେହିପରି ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ବିବାହିତ ନାରୀଙ୍କୁ ଶୁକ୍ରବାର ଦିନ ସୁହାଗ ଜିନିଷ ଦାନ କରନ୍ତୁ ।
କୁବେର ଦେବଙ୍କୁ ପୂଜା କରନ୍ତୁ :
କୁବେର ଦେବଙ୍କୁ ଧନର ଦେବତା କୁହାଯାଏ । ପୁରାଣ ଅନୁଯାୟୀ, ପୃଥିବୀର ଧନ-ସମ୍ପଦର କୁବେର ଦେବ ଯତ୍ନ ନିଅନ୍ତି । ତେଣୁ ତାଙ୍କୁ ପୂଜା କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ । ଏଥିପାଇଁ ପୂଜା ଘରେ କୁବେର ଦେବଙ୍କର ଏକ ଫଟୋ କିମ୍ବା ପ୍ରତିମା ସ୍ଥାପନ କରନ୍ତୁ ଏବଂ ପ୍ରତିଦିନ ପୂଜା କରନ୍ତୁ । ଏହା ଆର୍ଥିକ ସମସ୍ୟାରୁ ମୁକ୍ତି ଦେବା ସହିତ ନୂତନ ଆୟର ଉତ୍ସ ଯୋଗାଇବାରେ ସାହାଯ୍ୟ କରିଥାଏ । ସେହିପରି ନିଜ ରୋଜଗାରର କିଛି ଅଂଶ ଦାନ କରନ୍ତୁ । ଆପଣ ଏହାକୁ ଗରିବ ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କିମ୍ବା ଧାର୍ମିକ କାର୍ଯ୍ୟରେ ଲଗାଇ ପାରିବେ । ଆହୁରି ମଧ୍ୟ, ଅନ୍ୟମାନଙ୍କ ଜିନିଷ ଉପରେ ଖରାପ ନଜର ରଖିବେ ନାହିଁ । ଏହା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଅପାର କୃପା ଆପଣଙ୍କ ଉପରେ ରହିବ ।