ଦିଲ୍ଲୀରେ ସପ୍ତାହେ ବଢ଼ିବ ଲକଡାଉନ୍ !
![](https://thetruths.in/wp-content/uploads/2021/04/Delhi-lockdown.jpg)
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଦୈନିକ ୩ ଲକ୍ଷରୁ ଢେର୍ ଅଧିକ କୋଭିଡ୍ ପଜିଟିଭ୍ ବାହାରୁଛନ୍ତି । ଏହାମଧ୍ୟରେ ଅନେକ ରାଜ୍ୟରେ ଲକଡାଉନ୍ ଓ ସଟଡାଉନ୍ ଲାଗୁ କରାଯାଇଛି । ତେବେ ଦିଲ୍ଲୀରେ ଲକଡାଉନ୍ ଆଉ ୭ ଦିନ ବଢାଇବାକୁ ବିଚାର କରୁଛନ୍ତି ଦିଲ୍ଲୀ ସରକାର । ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଲକଡାଉନ୍ ବଢାଇବାକୁ ଚିନ୍ତା କରୁଛନ୍ତି । ଏନେଇ ରବିବାର ହିଁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଦିଲ୍ଲୀରେ ପଜିଟିଭିଟି ରେଟ୍ ୩୨ ପ୍ରତିଶତ ରହିଛି । ଏହାସହ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଓ ବେଡ୍ ସଙ୍କଟ ଦେଖାଦେଇଛି । ଏହାକୁ ନଜରରେ ରଖି ସରକାର ଲକଡାଉନ୍ ବଢାଇବାକୁ ଚିନ୍ତା କରୁଛନ୍ତି । କାରଣ ଲକଡାଉନ୍ ଛଡା ସଂକ୍ରମଣ ରୋକିବାକୁ ଅନ୍ୟକୌଣସି ବିକଳ୍ପ ନାହିଁ ।
ସୂଚନା ଯେ, ଏପ୍ରିଲ ୧୯ ତାରିଖ ରାତି ୧୦ଟାରୁ ଦିଲ୍ଲୀରେ ଲକଡାଉନ୍ ଲାଗୁ ହୋଇଥିଲା । ଯାହାର ଅବଦ୍ଧି ଏପ୍ରିଲ ୨୬ ତାରିଖ ସକାଳ ୫ଟାରେ ଶେଷ ହେବାକୁ ଯାଉଛି । ରବିବାର ଦିଲ୍ଲୀ ସରକାର ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ । କୋଭିଡ୍ ସଙ୍କଟ ଅତି ଉତ୍କଟ ହୋଇଯାଇଥିବାରୁ ସହରରେ ଉପଲବ୍ଧ ସମ୍ବଳଦ୍ବାରା ଅବସ୍ଥାକୁ ନିୟନ୍ତ୍ରଣ କରି ହେବ ନାହିଁ ବୋଲି ସେ ଜଣାଇଥିଲେ। ସେ କହିଥିଲେ, ଯଦି ଏବେ ଆମେ ‘ଲକ୍ଡାଉନ୍’ ଜାରି କରିବା ନାହିଁ, ସମ୍ଭବତଃ ଆମେ ବଡ଼ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହେବା। ସରକାର ଆପଣମାନଙ୍କର ସମ୍ପୂର୍ଣ୍ଣ ତତ୍ତ୍ବ ନେବେ। ପରିସ୍ଥିତିକୁ ବିଚାରି ଆମେ ଏ ଭଳି କଠୋର ପନ୍ଥା ଗ୍ରହଣ କରିଛୁ। ଦିଲ୍ଲୀରେ ଥିବା ଉନ୍ନତ ହସ୍ପିଟାଲ୍ ସବୁ ଅମ୍ଳଜାନ ନିଅଣ୍ଟ ସଂକ୍ରାନ୍ତରେ ‘ଏସ୍ଓଏସ୍ ମେସେଜ୍’ ପଠାଇ ଚାଲିଥିବା ବେଳେ ଗତ ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଟୁଇଟ୍ କରି ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ। ସେ ଲେଖିଥିଲେ, ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରି ଲେଖୁଛି, ଯଦି କାହା ପାଖରେ ବହକା ଅମ୍ଳଜାନ ଅଛି, ତାହା ଦିଲ୍ଲୀକୁ ଯୋଗାଇ ଦିଅନ୍ତୁ।