ଦିଲ୍ଲୀରେ ଆଉ ୭ ଦିନ ବଢିଲା ଲକଡାଉନ୍
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ । ରାଜଧାନୀ ଦିଲ୍ଲୀରେ କବୁନି କରୋନା କୋପ । ବର୍ତମାନ ଦିଲ୍ଲୀର ସ୍ଥିତି ଏତେ ମାତ୍ରାରେ ସଙ୍ଗୀନ ରହିଛି ଯେ କରୋନାକୁ ଆୟତକୁ ଆଣିବା ପାଇଁ ବାରମ୍ବାର ଦିଲ୍ଲୀ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ବୃଦ୍ଧି କରାଯାଉଛି । ଆଜି ପୁଣି ପଞ୍ଚମ ଥର ପାଇଁ ଦିଲ୍ଲୀରେ ଲକ୍ଡାଉନ୍ ଅବଧି ବଢାଯାଇଛି । ରାଜଧାନୀ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଲକଡାଉନର ଅବଦ୍ଧିକୁ ମେ ୧୭ରୁ ମେ ୨୪ ଯାଏଁ ବୃଦ୍ଧି କରିଛନ୍ତି । ଏହାସହ ଅଧିକ ପରିମାଣରେ ଭାକସିନ୍ ଯୋଗାଇବାକୁ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ମେ ୧୭ ସକାଳ ଯାଏଁ ଲକଡାଉନ୍ ବୃଦ୍ଧି କରିଥିଲେ । ଚଳିତ ଥର ଲକଡାଉନ ଅଧିକ କଡାକଡି ହେବ । ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ନେବାକୁ ହେବ । ଦିଲ୍ଲୀରେ ମେଟ୍ରୋ ସେବା ମଧ୍ୟ ବନ୍ଦ ରହିଛି ।
ପ୍ରଥମେ ଲକ୍ଡାଉନ୍ ଅବଧି ମେ ୩ ସକାଳ ୫ ପର୍ଯ୍ୟନ୍ତ ଥିଲା। ପରେ ଏହାକୁ ମେ ୧୦ ଯାଏଁ କରାଯାଇଥିଲା । ଯାହାକି ପରେ ମେ ୧୭ ଓ ଏବେ ମେ ୨୪ ଯାଏ ଘୁଞ୍ଚାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏନେଇ ଟ୍ବିଟ୍ରରେ ସୂଚନା ଦେଇଛନ୍ତି। କେଜ୍ରିଓ୍ୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ଲକଡାଉନର ଭଲ ପ୍ରଭାବ ପଡୁଛି । ଏପ୍ରିଲ ୨୬ ପରେ ନୂଆ ମାମଲା ଧିରେଧିରେ କମୁଛି । ସଂକ୍ରମଣ ଦର ମଧ୍ୟ ଗତ ୨ ୩ଦିନ ହେଲା ହ୍ରାସ ପାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ ଲକଡାଉନର ବ୍ୟବହାର କରାଯାଇଛି । ଲକଡାଉନ୍ ମେ ୧୭ ସକାଳ ୫ ଯାଏଁ ରହିଥିଲା । ତେବେ ଏହାକୁ ବଢାଯାଇଛି । ଆସନ୍ତା ସପ୍ତାହର ସୋମବାର ସକାଳ ୫ ଯାଏଁ ଏହା ବଳବତ୍ତର ରହିବ । ଏହି ସମୟରେ ପୂର୍ବ ଭଳି କଟକଣା ବଳବତ୍ତର ରହିବ । ଏହା ପୂର୍ବରୁ ବ୍ୟବସାୟୀ ସଂଗଠନ ୩ ମେ’ ପରେ ଦୋକାନ ଖୋଲିବ ନାହିଁ ବୋଲି ଘୋଷଣା କରିଥିଲା । ସେମାନଙ୍କ ପକ୍ଷରୁ ସ୍ବଇଚ୍ଛାରେ ଲକ୍ଡାଉନ୍ ଲଗାଇଦିଆଯିବ। ଦିଲ୍ଲୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏକ ବୈଠକରେ ୧୫୦ରୁ ଅଧିକ ବ୍ୟବସାୟ ସଂଗଠନ ନେତା ଏନେଇ ନିଷ୍ପତ୍ତି ନେଇଥିଲେ । ସୂଚନା ଯେ, ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୬ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି .। ସଂକ୍ରମଣ ଦର ୧ ପ୍ରତିଶତ ହ୍ରାସ ପାଇଁ ୧୦ ପ୍ରତିଶତରେ ପହଁଚିଛି ।