ଦେଶର ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନରେ ହଟିଲା ଲକ୍ଡାଉନ୍
![](https://thetruths.in/wp-content/uploads/2021/06/Telengana-1024x576.jpg)
ହାଇଦ୍ରାବାଦ: ଦେଶର ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନରେ ହଟିଲା। ଲକ୍ଡାଉନ୍ ଅନେକ ଦିନର ବ୍ୟବଧାନ ପରେ ଲକଡାଉନ ହଟାଇଛନ୍ତି ତେଲେଙ୍ଗାନା ସରକାର । ଦ୍ଵିତୀୟ ଲହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ହୋଇଥିବା ବେଳେ ଏହାକୁ ନଜରରେ ରଖି ତେଲେଙ୍ଗାନା ସରକାର ସମସ୍ତ କରୋନା କଟକଣା ହଟାଇଦେଇଛନ୍ତି । ସରକାର ଲକଡାଉନ ସମୟରେ ଲାଗୁ ହୋଇଥିବା ସମସ୍ତ ପ୍ରକାର ନିୟମାବଳୀକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ହୋଇଛି, ପଜିଟିଭିଟି ହାର ହ୍ରାସ ପାଇଛି ଏବଂ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି ବୋଲି ମେଡିକାଲ୍ କର୍ତ୍ତୃପକ୍ଷ ଦେଇଥିବା ରିପୋର୍ଟକୁ ଯାଞ୍ଚ କରି ଲକଡାଉନ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଫେସବୁକରେ ପୋଷ୍ଟ କରିଛି।
କରୋନାର ଦ୍ୱିତୀୟ ଲହରରେ ଲାଗୁ ହୋଇଥିବା ସମସ୍ତ ପ୍ରକାର କଟକଣା ସମାପ୍ତ କରିବାକୁ ତେଲେଙ୍ଗାନା ସରକାର ଘୋଷଣା କରିଥିବା ଜଣାପଡ଼ିଛି। ରାଜ୍ୟ କ୍ୟାବିନେଟରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ ଡାକ୍ତରମାନଙ୍କ କରୋନା ତଥ୍ୟକୁ ବିଶ୍ଳେଷଣ କରାଯାଇ ରାଜ୍ୟରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିଥିବା ସ୍ପଷ୍ଟ ହେବା ପରେ ଲକଡାଉନ୍ ହଟାଇବା ନେଇ ନିଷ୍ପତ୍ତି ହୋଇଥିବା ସିଏମଓ ପକ୍ଷରୁ ସୂଚନା ଦିଆଯାଇଛି। କରୋନାରେ ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ତେଲେଙ୍ଗାନା ଆସିଥିଲା। ହେଲେ ରାଜ୍ୟରେ ଲଗାତାର ସଂକ୍ରମଣ କମୁଥିବା ବେଳେ ଶୁକ୍ରବାର ରାଜ୍ୟରେ ସଂକ୍ରମଣ ହାର ୧.୧୪ ପ୍ରତିଶତ ଥିଲା। ୨୪ ଘଣ୍ଟାରେ ୧୪୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କ ଜୀବନ ନେଇଛି କରୋନା। ପୂର୍ବରୁ ଜୁନ୍ ୯ରେ କେ ଚନ୍ଦ୍ରଶେଖର ରାଓଙ୍କ ସରକାର ୧୦ ଦିନ ପାଇଁ ଲକ୍ଡାଉନ୍ ଅବଧି ବଢ଼ାଇଥିଲେ। ଶନିବାର ଏହି ଅବଧି ସମାପ୍ତ ହୋଇଛି। ରିବିବାର ଠୁ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଲକ୍ଡାଉନ୍ ହଟିବ ବୋଲି ଘୋଷଣା କରିଛନ୍ତି ସରକାର।