ଅଗଷ୍ଟ ୧୫ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ଲକଡାଉନ ଅବଧି ବୃଦ୍ଧି
- ଜାରି ରହିବ ରହିବ ନାଇଟ କର୍ଫ୍ୟୁ
କୋଲକାତା : ଦେଶରେ ଏବେ ମହାମାରୀ କରୋନାର ଦ୍ଵିତୀୟ ଲହର ଜାରି ରହିଛି । ସେହିପରି ଆସନ୍ତା ଅଗଷ୍ଟ ରୁ ସେପ୍ଟେମ୍ବର ମଧ୍ୟରେ କରୋନାର ତୃତୀୟ ଲହର ଆସିବା ନେଇ ବହୁ ବିଶେଷଜ୍ଞନ ଆକଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣର ତୃତୀୟ ଲହରକୁ ଆଖି ଆଗରେ ରଖି ସଂକ୍ରମଣକୁ ରୋକିବା ପାଇଁ ପଶ୍ଚିମବଙ୍ଗରେ ଲକଡାଉନ ଅବଧିକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ତେବେ ନାଇଟ କର୍ଫ୍ୟୁ ପୂର୍ବ ଭଳି ଜାରି ରହିବ । ପଶ୍ଚିମବଙ୍ଗ ସରକାର ଦେଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ରାତି ୯ ଟାରୁ ସକାଳ ୫ଟା ମଧ୍ୟରେ ଲୋକ ତଥା ଯାନବାହନ ଚଳାଚଳ ଉପରେ ରାଜ୍ୟବ୍ୟାପୀ ପ୍ରତିବନ୍ଧକ ଜାରି ରହିବ।
ଆଦେଶ ଅନୁଯାୟୀ ଆନ୍ତଃ ରାଜ୍ୟ ଟ୍ରେନ ଚଳାଚଳ ବନ୍ଦ ରହିବ । ସ୍ୱାସ୍ଥ୍ୟ ସେବା, ଆଇନ ଶୃଙ୍ଖଳା, କୃଷିଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ବ୍ୟତୀତ ରାତି ୯ ଟାରୁ ସକାଳ ୫ଟା ମଧ୍ୟରେ ଲୋକ ତଥା ଯାନବାହନ ଚଳାଚଳ ସହିତ ବାହ୍ୟ କାର୍ଯ୍ୟକଳାପ ଉପରେ ରୋକ ଲଗାଯାଇଛି । ରାଜ୍ୟରେ ଏବେ କରୋନା ସ୍ଥିତିକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି | ପଶ୍ଚିମବଙ୍ଗ ସରକାର ସମସ୍ତ ଜିଲ୍ଲା ପ୍ରଶାସନ, ପୁଲିସ କମିଶନରେଟ୍ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ ହେଉଥିବା ନେଇ ନିଶ୍ଚିତ କରିବାକୁ କହିଛନ୍ତି । ଏହି ନିୟମର ଉଲ୍ଲଂଘନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଏବଂ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ଅନୁଯାୟୀ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ନିର୍ଦ୍ଦେଶରେ ଚେତାବନୀ ଦିଆଯାଇଛି ।