ମହାରାଷ୍ଟ୍ରରେ ଜାରି ହୋଇପାରେ ଲକ୍ଡାଉନ୍
ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ଭାଇରସ୍ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ଼ ଘୋଷଣା କରିଛନ୍ତି। ଯଦି ସ୍ଥିତିରେ ସୁଧାର ନଆସେ ତେବେ ଲକ୍ଡାଉନ୍ ନିଶ୍ଚିତ ରୂପେ ଲାଗିବ ବୋଲି ଉଦ୍ଧବ କହିଛନ୍ତି। ଏହା ସହ ମାର୍ଚ୍ଚ ପରେ ସ୍ଥିତି ଭୟାବହ ହୋଇଛି। ଏହି ଭଳି ପରିସ୍ଥିତିରେ ରାଜ୍ୟରେ ପୁଣି ଥରେ ଲକଡାଉନ୍କୁ ଅସ୍ୱୀକାର କରିହେବ ନାହିଁ ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଦୈନିକ ଅଢ଼େଇ ଲକ୍ଷ ଆରଟି ପିସିଆର ଟେଷ୍ଟ କରିବାକୁ ଯୋଜନା ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କିଛି ଦିନ ପାଇଁ ରାଜ୍ୟରେ କଠୋର ନିୟମର ଆବଶ୍ୟକତା ରହିଛି। ଏନେଇ କିଛି ଦିନ ଭିତରେ ସୂଚନା ଦିଆଯିବ। ସ୍ଥିତି ଅଣାୟତ୍ତ ହୋଇଗଲେ ଲକ୍ଡାଉନ୍ ଉପରେ ବିଚାର କରାଯିବ। ଚାକିରୀ ମିଳିଯିବ କିନ୍ତୁ ଜୀବନ ଗଲେ ଫେରିବନି। ଲକ୍ଡାଉନ୍ର ବିକଳ୍ପ ଖୋଜିବାକୁ ପଡ଼ିବ।
କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ସଂକ୍ରାନ୍ତରେ ରାଜ୍ୟର ଜନସାଧାରଣଙ୍କୁ ଉଦ୍ବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ ଠାକ୍ରେ କହିଲେ, ଅନେକ ବିଶେଷଜ୍ଞ ପ୍ରସ୍ତାବ ଦେଇଛନ୍ତି। କେତେକ କହିଛନ୍ତି, ସେମାନେ ଲକ୍ଡାଉନ୍କୁ ସେମାନେ ବିରୋଧ କରିବେ। ଲକ୍ଡାଉନ୍ ବିକଳ୍ପ ନୁହେଁ। ଯେଉଁମାନେ କର୍ମସଂସ୍ଥାନ ହରାଇବେ ସେମାନଙ୍କ ପାଖକୁ ଟଙ୍କା ପଠାଅ। ଜଣେ ଶିଳ୍ପପତି ମଧ୍ୟ କହିଛନ୍ତି ଯେ, ଲକ୍ଡାଉନ୍ ନ କରି ସରକାର ସ୍ୱାସ୍ଥ୍ୟ ସୁବିଧା ଉନ୍ନତ କରୁ ନାହାନ୍ତି କାହିଁକି। ଲୋକମାନଙ୍କୁ ମୋର ଗୋଟାଏ ଅନୁରୋଧ ସେମାନେ ମୋ ଲାଗି ଡାକ୍ତର ଆଣନ୍ତୁ। ଡାକ୍ତରଖାନା ପାଇଁ କାମ କରିବା ଲାଗି ଲୋକ ଆଣନ୍ତୁ। ଲକ୍ଡାଉନ୍କୁ ବିରୋଧ କରିବା ଆଗ୍ରହୀ ବ୍ୟକ୍ତିବିଶେଷ ରାସ୍ତାକୁ ବାହାରି ପାରନ୍ତି। ସେମାନେ ବାହାରନ୍ତୁ କିନ୍ତୁ, ଲକ୍ଡାଉନ୍କୁ ବିରୋଧ କରିବାକୁ ନୁହେଁ। କୋଭିଡ୍ ଡାକ୍ତରଖାନାମାନଙ୍କରେ କାର୍ଯ୍ୟରତ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆସନ୍ତୁ। ବଢ଼ି ଚାଲିଥିବା ସଂକ୍ରମଣ ମାମଲା ନିୟନ୍ତ୍ରଣ କରିବା ଲାଗି କଠୋର କଟକଣା ଆବଶ୍ୟକ। ଆଗାମୀ ଦିନେ ଦୁଇଦିନ ମଧ୍ୟରେ ସେଭଳି କଟକଣା ଜାରି କରାଯିବ। ଯଦି ସାମ୍ପ୍ରତିକ ପରିସ୍ଥିତି ଲାଗି ରହେ, ଅଳ୍ପ କେତେ ଦିନ ଭିତରେ ଡାକ୍ତରଖାନା ଭରିଯିବ। ସମସ୍ତ ରାନୈତିକ ଦଳମାନଙ୍କୁ ମୋର ଅନୁରୋଧ ସେମାନେ ରାଜନୀତିରେ ଲିପ୍ତ ହୁଅନ୍ତୁ ନାହିଁ। ରାଜନୀତି ଲୋକଙ୍କ ଜୀବନ ପାଇଁ ଖେଳ ପାଲଟି ଯିବ।