ଲିଭିନି ମେହେନ୍ଦି, ଲିଭିଗଲା ସିନ୍ଦୁର

- ଚତୁର୍ଥୀ ବାସିରେ ଥଣ୍ଡାଜ୍ୱରରେ ପୀଡ଼ିତ ହୋଇ ପ୍ରାଣ ହରାଇଲେ ସ୍ୱାମୀ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ପ୍ରଧାନପଡ଼ା ପଞ୍ଚାୟତ ଦୁର୍ଗାଦେବୀପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାଜକନିକା ଥାନା ଦୁର୍ଗାଦେବୀପଡ଼ା ଗ୍ରାମର ସଞ୍ଜୟ କୁମାର ନାୟକ(ଦୀପୁ) ବେଙ୍ଗାଲୁରୁରେ ନିଜ ବଡ଼ ଭାଇଙ୍କ ସହ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଦୀପୁଙ୍କ ବାହାଘର ରାଜକନିକା ବ୍ଲକ୍ ଓଳାଭର ପଞ୍ଚାୟତର ଏକ ଗାଁରେ ସ୍ଥିର ହୋଇଥିଲା । ବାହାଘର ଠିକ୍ ହେବା ପରେ ସେ ଗତ ୧ ତାରିଖରେ ବଡ଼ଭାଇଙ୍କ ସହ ଗାଁକୁ ଫେରିଥିଲେ । ଗତ ୯ ତାରିଖରେ ବାହାଘର ହୋଇଥିଲା । ଦୀପୁ ବେଙ୍ଗାଲୁରୁ ଛାଡ଼ିବା ବେଳେ କୋଭିଡ୍ ପରୀକ୍ଷା (ଆଣ୍ଟିଜେନ୍) କରିଥିଲେ । ରିପୋର୍ଟ ନେଗେଟିଭ୍ ଆସିଥିଲା । ସେ ଘରେ ପହଞ୍ଚିବାର କିଛି ଦିନ ପରେ ଅଚାନକ ତାଙ୍କ ଦେହ ଅସୁସ୍ଥ ହେବା ଆରମ୍ଭ କରିଥିଲା । ଥଣ୍ଡାଜ୍ୱର ଲାଗିରହିବା ସହ କାଶ ହୋଇଥିଲା । ବାହାଘରର ପାରମ୍ପରିକ ରୀତିନୀତି ଭିତରେ ଏକାଧିକ ବାର ଗାଧୋଇବା ଯୋଗୁଁ ତାଙ୍କ ଦେହ ଖରାପ ହୋଇଥିବ ବୋଲି ଘର ଲୋକେ ଭାବିଥିଲେ । ତେଣୁ ଦୀପୁ ଔଷଧ କିଣି ଖାଇଥିଲେ । ହେଲେ ଥଣ୍ଡା, ଜ୍ୱର କମିନଥିଲା । ବରଂ ଦିନକୁ ଦିନ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ । ୧୨ ତାରିଖରେ ଥିଲା ଚତୁର୍ଥୀ । ଅସୁସ୍ଥତା ସତ୍ତେ୍ୱ ଚତୁର୍ଥୀ ପିଣ୍ଡ ପଡ଼ି ହୋମ ହୋଇଥିଲା । ଚତୁର୍ଥୀ ବାସି ସକାଳେ ଦୀପୁଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବାରୁ ପରିବାର ଲୋକେ ତାଙ୍କୁ ନେଇ ଯାଜପୁର ମେଡିକାଲକୁ ଯାଇଥିଲେ । ହେଲେ ସେଠାରେ ଚିକିତ୍ସାରେ ରହିବା ପରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବାରୁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ପରିବାର ସଦସ୍ୟମାନେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନେଇଯିବା ପାଇଁ ଯୋଗାଯୋଗ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ଅନ୍ୟପକ୍ଷରେ ଦୀପୁଙ୍କ ଶବ ତାଙ୍କ ଘରେ ପହଞ୍ଚିବା ଆଗରୁ ତାଙ୍କ ଶ୍ୱଶୂର ଘର ଲୋକେ ନବବିବାହିତା ଝିଅକୁ ନିଜ ଘରକୁ ନେଇ ଯାଇଥିଲେ । ଦୀପୁଙ୍କର କରୋନା ପଜିଟିଭ୍ ବୋଲି ସ୍ପଷ୍ଟ ହୋଇ ନଥିବା ବେଳେ ତାଙ୍କ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଓ ବିଭିନ୍ନ ଲୋକ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ଅଦ୍ୟାବଧି କଣ୍ଟାକ୍ଟ ଟ୍ରେସିଂ କରାଯାଇନଥିବା, ଦୀପୁ ଓ ତାଙ୍କ ପରିବାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହୋଇ ନଥିବା ଅଭିଯୋଗ ଉଠିଛି । କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଏଡିଏମ୍ଓ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କୁ ଏ ସଂପର୍କରେ ପଚାରିବାରେ ସେ କହିଛନ୍ତି ଯେ ସଞ୍ଜୟଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତଥାପି ଆମେ କୋଭିଡ୍ ଗାଇଡ୍ଲାଇନ ଅନୁସାରେ ମୃତ୍ୟୁ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛୁ । ସଞ୍ଜୟଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ କୁହାଯାଇଛି । ଘଟଣାଟି ସମଗ୍ର ଅଞ୍ଚଳରେ ଶୋକ ଖେଳାଇ ଦେଇଛି ।