କୁଲଡ଼ିହା ଅଭୟାରଣ୍ୟରୁ ଶିକାରୀ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ଅବାଧ ଶିକାରୀଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ଏହାରି ମଧ୍ୟରେ ବନ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଶିକାରୀକୁ ଗିରଫ କରିଥିବା ଜଣାପଡିଛି ।
ସୂଚନା ଯେ, ଶିକାରୀ ମାନଙ୍କ ଏକ ଗ୍ୟାଙ୍ଗ ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଅଭୟାରଣ୍ୟକୁ ଶିକାର ପାଇଁ ଆସିଥିଲେ । ଏହି ସମୟରେ କୁଳଡିହା-୧ ବିଟ ଅନ୍ତର୍ଗତ ଖମାରିଆ ନିକଟରେ ପାଟ୍ରୋଲିଂ କରୁଥିବା ବନବିଭାଗକୁ ଦେଖି ଶିକାରୀମାନେ ଅନ୍ଧାର ରାତିର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଥିବା ବେଳେ ଜଣେ ଶିକାରୀ ଧରାପଡିଥିଲା । ଗିରଫ ଶିକାରୀ ଜଣଙ୍କ ହେଲେ ବରହମପୁର ଥାନା ଅନ୍ତର୍ଗତ ଟିଆକଟା ଗ୍ରାମର କାର୍ତ୍ତିକ ସିଂ (୨୮) । ଶିକାରୀଙ୍କ ନିକଟରୁ ଏକ ଗୋଟି ମୃତ ଗୁରାଣ୍ଡି, ଏକ ଗୋଟି ମୃତ ମାଲୁହା, ଦୁଇ ଗୋଟି ଭୁଇଁ ପେଚା, ଏକ ଗୋଟି କଟୁରୀ, ଏକ ଗୋଟି ଛୁରୀ, ଏକ ଗୋଟି ମୁଣ୍ଡ ବନ୍ଧା ଟର୍ଚ୍ଚ ଲାଇଟ୍, ଦିଆସିଲି, କଳା ବାରୁଦ ଜବତ ହୋଇଛି । ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଏହି ଟିମରେ ଷ୍ଟାଫ୍ ନରେଶ ଚନ୍ଦ୍ର ସିଂ, ଫରେଷ୍ଟର ହିମାଂଶୁ ଶେଖର ପାଢ଼ୀ, ଫରେଷ୍ଟ ଗାର୍ଡ ଅଞ୍ଜନ କୁମାର ଦାସ ଏବଂ ସବୁଜ ବାହୀନି ସାମିଲ ଥିଲେ ।