ଡବ୍ଲ୍ୟୁଟିସି ଏକାଦଶରେ କେନ ଓ୍ଵିଲିୟମସନ ଅଧିନାୟକ

- ବିରାଟ କୋହଲିଙ୍କୁ ମିଳିଲାନି ସ୍ଥାନ
ନୂଆଦିଲ୍ଲୀ : ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ ପକ୍ଷରୁ ଆୟୋଜିତ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ପ୍ରଥମ ସଂସ୍କରଣ ନିକଟରେ ସଂପନ୍ନ ହୋଇଛି। ଜୁନ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଡବ୍ଲ୍ୟୁଟିସି ଫାଇନାଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡ ଭାରତକୁ ୮ ଓ୍ଵିକେଟ୍ରେ ହରାଇ ଚାମ୍ପିଅନ ହୋଇଛି। ପ୍ରଥମ ସଂସ୍କରଣରେ ମୋଟ୍ ନଅଟି ଦଳକୁ ସୁଯୋଗ ଦିଆଯାଇଥିଲା ଏବଂ ସମସ୍ତ ଦଳକୁ ୬ଟି ଲେଖାଏଁ ସିରିଜ୍ ଖେଳିବାର ଥିଲା। କ୍ରିକଇନଫୋ ଟୁର୍ଣ୍ଣାମେଣ୍ଟ ସମାପ୍ତ ହେବା ପରେ ଏକ୍ସପର୍ଟ ଓ ପ୍ରଶଂସକଙ୍କ ଭୋଟିଂ ଆଧାରରେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଏକାଦଶ ଘୋଷଣା କରିଛି। ଏଥିରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ। ଭାରତ ପକ୍ଷରୁ ରୋହିତ ଶର୍ମା, ଆର ଅଶ୍ଵିନ ଓ ଋଷଭ ପନ୍ତଙ୍କୁ ସାମିଲ କରାଯାଇଛି। ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ଵିଲିୟମସନଙ୍କୁ ଦଳର ଅଧିନାୟକ କରାଯାଇଛି। ନ୍ୟୁଜିଲାଣ୍ଡର କାଇଲ ଜେମିସନ ଓ ଟିମ ସାଉଦିଙ୍କୁ ମଧ୍ୟ ସ୍ଥାନ ମିଳିଛି। ଅଷ୍ଟ୍ରେଲିଆ ପକ୍ଷରୁ ତିନି ଖେଳାଳି ଷ୍ଟିଭ୍ ସ୍ମିଥ୍,ମାର୍ନସ ଲାବୁସାନେ ଓ ପାଟ୍ କମିନ୍ସ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ ଓ ଇଂଲଣ୍ଡର ବେନ ଷ୍ଟୋକ୍ସଙ୍କୁ ସାମିଲ କରାଯାଇଛି। ପାକିସ୍ତାନ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ଓ୍ଵେଷ୍ଟଇଣ୍ଡିଜର କୌଣସି ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ଭାରତୀୟ ଦଳର ଓପନର ରୋହିତ ଶର୍ମା ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ର ୧୨ଟି ମ୍ୟାଚ୍ରେ ୬୧ ହାରରେ ୧୦୯୪ ରନ କରିଛନ୍ତି। ଏଥିରେ ଦୁଇ ଶତକ ମଧ୍ୟ ସାମିଲ। ଅନ୍ୟପଟେ ଋଷଭ ପନ୍ତ ୩୯ ହାରରେ ୭୦୭ ରନର ଯୋଗଦାନ ଦେଇଛନ୍ତି। କିନ୍ତୁ ସେ ଶତକ ଅର୍ଜନ କରି ପାରି ନାହାନ୍ତି। ଅନ୍ୟପଟେ ଅଶ୍ଵିନ ଡବ୍ଲ୍ୟୁଟିସିରେ ସର୍ବାଧିକ ୭୧ ଓ୍ଵିକେଟ୍ ନେଇଛନ୍ତି।
ଡବ୍ଲ୍ୟୁଟିସି ଏକାଦଶ :- ରୋହିତ ଶର୍ମା, ଦିମୁଥ କରୁଣାରତ୍ନେ, ମାର୍ନସ ଲାବୁସନେ, କେନ ଓ୍ଵିଲିୟମସନ, ଷ୍ଟିଭ୍ ସ୍ମିଥ୍, ବେନ ଷ୍ଟୋକ୍ସ, ଋଷଭ ପନ୍ତ, କାଇଲ ଜେମିସନ, ଆର ଅଶ୍ଵିନ, ପାଟ୍ କମିନ୍ସ, ଟିମ୍ ସାଉଦି।