ଆଜି ଶପଥ ନେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ
![](https://thetruths.in/wp-content/uploads/2021/07/Basavraj-Bommai-1024x639.jpg)
କର୍ଣ୍ଣାଟକ : ଆଜି ଶପଥ ନେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ । କର୍ଣ୍ଣାଟକରେ ମଙ୍ଗଳବାର ବାସବରାଜ ବୋମ୍ମଇଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା । ଏଥିସହ ସେ ମୁଖ୍ୟମନ୍ତ୍ରୀ ହେବାର ରାସ୍ତା ସ୍ପଷ୍ଟ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ ବୋମ୍ମଇଙ୍କ ନାମ ମୁଖ୍ୟମନ୍ତ୍ରୀ ହୋଇଥିବା ପିତା-ପୁତ୍ର ଯୋଡ଼ିରେ ସାମିଲ ହୋଇଯିବ । ଉତ୍ତର କର୍ଣ୍ଣାଟକରୁ ଆସିଥିବା ଲିଙ୍ଗାୟତ ନେତା ବାସବରାଜ ବୋମ୍ମାଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଆର ବୋମଇଙ୍କ ପୁତ୍ର । ସେ ୧୯୮୮ରୁ ୧୯୮୯ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ । ୬୧ ବର୍ଷୀୟ ବୋମ୍ମଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ନେତୃତ୍ୱରେ ପରିଚାଳିତ ସରକାରରେ ଗୃହ, ଆଇନ, ସଂସଦୀୟ ଏବଂ ବଧାୟୀ କାର୍ଯ୍ୟ ବିଭାଗରେ ମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ବୋମୋଇଙ୍କ ପୂର୍ବରୁ କର୍ଣ୍ଣାଟକରେ ଆଉ ଏକ ପିତା-ପୁତ ଯୋଡ଼ି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦେବେଗୌଡ଼ା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ । ପରେ ତାଙ୍କର ପୁତ୍ର ଏଚ୍ଡି କୁମାରସ୍ୱାମୀ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ସୂଚନା ଯେ, ବି.ଏସ୍ ୟେଦ୍ୟୁରପ୍ପାଙ୍କ ସରକାରରେ ଗୃହମନ୍ତ୍ରୀ ଥିବା ବରିଷ୍ଠ ଲିଙ୍ଗାୟତ ନେତା ବାସବରାଜ ବୋମାଇ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ବୋମାଇଙ୍କୁ ୟେଦ୍ୟୁରପ୍ପାଙ୍କ ଉତ୍ତରାଧିକାରୀ ଭାବେ ନିର୍ବାଚିତ କରାଯାଇଛି। ସେ ବୁଧବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କର୍ଣ୍ଣାଟକ ପାଇଁ ବିଜେପି ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି. କିଷନ ରେଡ୍ଡି ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ୟେଦ୍ୟୁରପ୍ପା ବୋମାଇଙ୍କ ନାମ ପ୍ରସ୍ତାବ କରିବା ପରେ ବିଧାୟକମାନେ ତାଙ୍କ ସପକ୍ଷରେ ମତ ଦେଇଥିଲେ। କିଛି ବିଧାୟକ କେନ୍ଦ୍ରୀୟ ପ୍ରତିନିଧିଙ୍କୁ ଭେଟି ସବୁବେଳେ ଲିଙ୍ଗାୟତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉଛି; ଏବେ ଅନ୍ୟ ସମ୍ପ୍ରଦାୟରୁ କାହାକୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦିଆଗଲେ ବିଜେପିକୁ ଲାଭ ମିଳିବ ବୋଲି ସେମାନେ ମତ ଦେଇଥିଲେ ମଧ୍ୟ ତାହା ଅଗ୍ରାହ୍ୟ ହୋଇଯାଇଥିଲା।