କଙ୍ଗନାଙ୍କୁ ଝଟ୍କା : ମଧ୍ୟବର୍ତ୍ତୀକାଳିନ ଆଶ୍ୱସ୍ତି ଦେବାକୁ ହାଇକୋର୍ଟଙ୍କ ମନା
![](https://thetruths.in/wp-content/uploads/2021/09/Kangana-Ranaut-1024x683.jpg)
ମୁମ୍ବାଇ : ବଲିଉଡର ଦବଂଗ ଗାର୍ଲ ତଥା ଅଭିନେତ୍ରୀ କଙ୍ଗନା ରାନାଓ୍ଵତଙ୍କୁ ଝଟ୍କା। ପୂର୍ବତନ ରାଜ୍ୟସଭା ସାଂସଦ, କବି ତଥା ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା କଙ୍ଗନାଙ୍କ ବିରୋଧରେ ଆଗତ ହୋଇଥିବା ମାନହାନି ମାମଲାକୁ ଖାରଜ କରିବାକୁ ହୋଇଥିବା ଆବେଦନକୁ ଗୁରୁବାର ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଏଥିସହ କଙ୍ଗନାଙ୍କୁ କୌଣସି ପ୍ରକାରର ମଧ୍ୟବର୍ତ୍ତୀକାଳିନ ଆଶ୍ୱସ୍ତି ଦେବାକୁ ମଧ୍ୟ ହାଇକୋର୍ଟ ମନା କରିଛନ୍ତି। ଏହି ମାମଲାରେ ଅଭିନେତ୍ରୀ କଙ୍ଗନାଙ୍କୁ ଆସନ୍ତା ସେପ୍ଟେମ୍ବର ୧୪ରେ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ଗତ ସେପ୍ଟେମ୍ବର ୧ ତାରିଖରେ ପୂର୍ବତନ ରାଜ୍ୟସଭା ସାଂସଦ ଅଖତରଙ୍କ ପକ୍ଷରୁ ଆଗତ ହୋଇଥିବା ମାନହାନି ମାମଲାରେ ମୁମ୍ବାଇର କୋର୍ଟ ତାଙ୍କୁ ଉପସ୍ଥିତ ରହିବାକୁ କହିଥିଲେ। କିନ୍ତୁ ଏହି ମାମଲାକୁ ନେଇ କଙ୍ଗନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାପରେ ମାମଲାର ଶୁଣାଣି ବିଳମ୍ବ ହୋଇଥିଲା। ତେବେ ଶୁଣାଣି କାଳରେ କୋର୍ଟ ଚେତାବନୀ ଦେଇ କହିଛନ୍ତି ଯେ ଯଦି ପରବର୍ତ୍ତୀ ଶୁଣାଣିରେ ଅଭିନେତ୍ରୀ କଙ୍ଗନା କୋର୍ଟରେ ଉପସ୍ଥିତ ନରୁହନ୍ତି, ତେବେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯିବ। ସୂଚନା ଯେ, କବି ଶ୍ରୀ ଅଖତର ଗତବର୍ଷ ନଭେମ୍ବରରେ ଆଙ୍ଗେରୀ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟଙ୍କ ନିକଟରେ କଙ୍ଗନା ରାଣାଓ୍ଵତଙ୍କ ବିରୋଧରେ ଏକ ମାନହାନି ମାମଲା ଆଗତ କରିଥିଲେ। ଏକ ଟେଲିଭିଜନ ସାକ୍ଷାତକାରରେ ତାଙ୍କ ବିରୋଧରେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ବଦନାମ ତଥା ଭିତ୍ତିହୀନ ମନ୍ତବ୍ୟ ଦେଇ ତାଙ୍କର ମାନହାନି କରିଥିବା ଅଭିଯୋଗ କରି ସେ ଏହି ମାନହାନି ମାମଲା ଆଗତ କରିଥିଲେ।