ଜେଇଇ ମେନ୍-୨୦୨୧ ସ୍ଥଗିତ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ୨୦୨୧ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏ ନେଇ ଆଜି ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ଘୋଷଣା କରିଛି । ଚଳିତ ମାସ ୨୭, ୨୮ ଓ ୩୦ ତାରିଖରେ ହେବାକୁ ଥିବା ମେନ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଦେଶରେ ବୃଦ୍ଧି ପାଉଥିବା କରୋନାର ସାନି ସଂକ୍ରମଣକୁ ଦୃଷ୍ଟିରୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଯଦି ପରୀକ୍ଷା ହୋଇଥାନ୍ତା ତାହେଲେ ପରୀକ୍ଷାର୍ଥୀମାନେ ସେମାନଙ୍କ ଘରକୁ ଫେରିବା ପରେ ସ୍ଥିତି ଜଟିଳ ହୋଇପଡ଼ିଥାଆନ୍ତା। ତେଣୁ ଜେଇଇର ତୃତୀୟ ତଥା ଏପ୍ରିଲ ସେସନକୁ ସ୍ଥଗିତ ରଖାଯାଇଛି। ତେବେ ପୁଣି ଥରେ ପରୀକ୍ଷା ନେଇ କେବେ ବିଜ୍ଞପ୍ତି ପ୍ରକାଶ ପାଇବ ସେ ନେଇ ସୂଚନା ଦିଆଯାଇନାହିଁ । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଏହା ସହିତ ପରୀକ୍ଷାର ପୁନଶ୍ଚ ତାରିଖ ୧୫ ଦିନ ପୂର୍ବରୁ ପ୍ରକାଶ ପାଇବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।
ଏହି ପରୀକ୍ଷା ପୁଣି କେବେ ଅନୁଷ୍ଠିତ ହେବ ସେ ନେଇ ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ଜଣାଇବେ। ପରୀକ୍ଷା ହେବାର ଅନ୍ତତଃ ୧୫ ଦିନ ପୂର୍ବରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପରୀକ୍ଷା ପରିଚାଳନା ସଂସ୍ଥା କହିଛି। ପୂର୍ବରୁ ୨୦୨୧ର ଚାରି ସେସନ ବିଶିଷ୍ଟ ଜେଇଇ ମେନ ପ୍ରବେଶିକା ପରୀକ୍ଷାର ଦୁଇଟି ପର୍ଯ୍ୟାୟ ଶେଷ ହୋଇସାରିଛି। ପ୍ରଥମ ପର୍ଯ୍ୟାୟ ଚଳିତ ବର୍ଷ ଫେବୃଆରୀ ୨୩ରୁ ୨୬ ଓ ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୬ରୁ ୧୮ ଯାଏଁ ଅନୁଷ୍ଠିତ ହୋଇଥିଲା। ତେବେ ଏହି ପରୀକ୍ଷା ଘୁଞ୍ଚିବା ଫଳରେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି କହିଛି। ଛାତ୍ରଛାତ୍ରୀମାନେ ‘ଏନଟିଏସ ଅଭ୍ୟାସ ଆପ’ ଜରିଆରେ ଘରେ ରହି ଏହି ପରୀକ୍ଷା ପାଇଁ ଅଭ୍ୟାସ କରିପାରିବେ।