ଗମ୍ଭୀରଙ୍କୁ ତୃତୀୟ ଥର ପାଇଁ ହତ୍ୟା ଧମକ ଦେଲା ଆଇଏସଆଇଏସ, ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ତୃତୀୟ ଥର ପାଇଁ ହତ୍ୟା କରିବାକୁ ଆଇଏସଆଇଏସ୍ କାଶ୍ମୀର ଧମକ ଦେଇଛି । ୨୮ ନଭେମ୍ବର ରାତିରେ ଗମ୍ଭୀରଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ମିଳିଛି । କେବଳ ଏତିକି ନୁହେଁ, ଏଥର ଦିଲ୍ଲୀ ପୋଲିସକୁ ଇମେଲରେ ଉଲ୍ଲେଖ କରି କୁହାଯାଇଛି ଯେ ତାଙ୍କ ସୁରକ୍ଷା ସହ ଜଡିତ ପୋଲିସ ମଧ୍ୟ କିଛି କରିପାରିବ ନାହିଁ ।
ସୂଚନାନୁସାରେ, ରବିବାର ଦିନ ପାକିସ୍ତାନର କରାଚିରୁ ଗମ୍ଭୀରଙ୍କୁ ଏକ ଇ-ମେଲ ପାଇଥିଲେ । ଯେଉଁଥିରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି । ଏହି ଇ-ମେଲ୍ ଆଇଏସ୍ କାଶ୍ମୀରର ଆଇଡି ରୁ ଆସିଛି (isiskasmir@yahoo.com) । ଏଥିରେ ଲେଖାଯାଇଛି ଯେ ଦିଲ୍ଲୀ ପୋଲିସ ଏବଂ ଆଇପିଏସ୍ ଶ୍ୱେତା ଚହ୍ୱାନ (ଡିସିପି କେନ୍ଦ୍ରୀୟ ଜିଲ୍ଲା) ମଧ୍ୟ କିଛି କରିପାରିବେ ନାହିଁ । ଏହା ସହିତ କୁହାଯାଇଛି ଯେ ଦିଲ୍ଲୀ ପୋଲିସ ଭିତରେ ଆମର ଜାସୁସମାନେ ଉପସ୍ଥିତ ଅଛନ୍ତି । ଯେଉଁମାନେ ଆମକୁ ତୁମ ବିଷୟରେ ସମସ୍ତ ତଥ୍ୟ ଦେଉଛନ୍ତି ।
ଏହାପୂର୍ବରୁ ଗୌତମ ଗମ୍ଭୀରଙ୍କୁ ଦୁଇଟି ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା, ଏହାକୁ ଆଇଏସଆଇଏସ କାଶ୍ମୀର ମଧ୍ୟ ପଠାଇଥିଲା । ଏହା ପରେ ପୂର୍ବତନ କ୍ରିକେଟରଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଥିଲା । ପୂର୍ବରୁ ଗୌତମ ଗମ୍ଭୀରଙ୍କ ନିକଟକୁ ଆସିଥିବା ଇମେଲଗୁଡିକ ସାଇବର ସେଲ ଦ୍ୱାରା ଯାଞ୍ଚ କରାଯାଉଛି । ଆପଣଙ୍କୁ କହିରଖୁଛୁ ଯେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଟିକେଟ୍ ରେ ପୂର୍ବ ଦିଲ୍ଲୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ଗୌତମ ଗମ୍ଭୀର ଜିତିଥିଲେ । ପ୍ରତ୍ୟେକ ପ୍ରସଙ୍ଗରେ ନିଜର ରୋକଠୋକ ମତ ପାଇଁ ଗମ୍ଭୀର ଜଣାଶୁଣା । ଏହା ବ୍ୟତୀତ ଗମ୍ଭୀର ବିରୋଧୀ ଦଳର ନେତାଙ୍କ ଉପରେ ଲଗାତାର ଟାର୍ଗେଟ କରି ଆଲୋଚନାରେ ରହିଛନ୍ତି । ନିକଟରେ ସେ ନବଜୋତ ସିଂ ସିଦ୍ଧୁଙ୍କୁ ମଧ୍ୟ ଟାର୍ଗେଟ କରି ହେଡଲାଇନରେ ଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିଜ ‘ବଡ ଭାଇ’ ବୋଲି କହିବାରୁ ଗମ୍ଭୀର ସିଦ୍ଧୁଙ୍କୁ କହିଥିଲେ ଯେ ପ୍ରଥମେ ଆପଣଙ୍କ ପିଲାମାନଙ୍କୁ ସୀମାକୁ ପଠାନ୍ତୁ ଏବଂ ତା’ପରେ ଏପରି ବୟାନ ଦିଅନ୍ତୁ ।