ଆଇପିଏଲ-୨୦୨୧ : ଟସ୍ ଜିତି ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଚେନ୍ନାଇ
ନୂଆଦିଲ୍ଲୀ : ଚଳିତ ଆଇପିଏଲର ୨୩ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ହାଇଦ୍ରାବଦ କ୍ୟାପଟନେ୍ ଡେଭିଡ୍ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ଉକ୍ତ ମ୍ୟାଚରେ ହାଇଦ୍ରାବାଦ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି । ମନିଷ ପାଣ୍ଡେ ଓ ସନ୍ଦୀପ ଶର୍ମା ଟିମକୁ ଫେରିଥିବା ବେଳେ ଅଭିଷେକ ଶର୍ମା ଓ ବିରାଟ୍ ସିଂହ ବାଦ୍ ପଡ଼ିଛନ୍ତି । ସେହିପରି ଚେନ୍ନାଇ ମଧ୍ୟ ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ । ଡ୍ୱେନ୍ ବ୍ରାଭୋ ଓ ଇମ୍ରାନ୍ ତାହିର୍ ବାଦ୍ ପଡ଼ିଥିବା ବେଳେ ଲୁଙ୍ଗି ଏନଗିଡି ଓ ମୋଇନ୍ ଅଲୀ ବ୍ୟାକ୍ କରିଛନ୍ତି ।
ଗତବର୍ଷ ୟୁଏଇରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍ରୁ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଥିଲେ ଚେନ୍ନାଇ ଓ ହାଇଦ୍ରାବାଦ । ତେବେ ଚଳିତବର୍ଷ ମୁମ୍ବାଇରେ ଖେଳିଥିବା ନିଜ ପ୍ରଥମ ୫ ମ୍ୟାଚ୍ରୁ ଚେନ୍ନାଇ ୪ଟିରେ ବିଜୟୀ ହୋଇଥିବାରୁ ଦିଲ୍ଲୀରେ ମଧ୍ୟ ଏହି ଧାରା ବଜାୟ ରଖିବାକୁ ଚାହିବ । ସେପଟେ ଆଜିର ମ୍ୟାଚ୍ ଜିତିବାକୁ ସମସ୍ତ ପ୍ରକାର ରଣ କୌଶଳ ଆପଣାଇବ ଓ୍ୱାର୍ଣ୍ଣର ବାହିନୀ । ସେହିପରି ଉଭୟ ଦଳ ପରସ୍ପର ୧୫ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଚେନ୍ନଇ ସୁପରକିଙ୍ଗ୍ସ ୧୧ଟି ଓ ସନରାଇଜର୍ସ ୪ଟି ମ୍ୟାଚରେ ବିଜୟୀ ହୋଇଛନ୍ତି। କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନିଙ୍କ ରଣନୀତିକୁ ନବୁଝି ପାରିଲେ ବୁଧବାର ମ୍ୟାଚ୍ ଜିତିବା ମଧ୍ୟ ୱାର୍ଣ୍ଣରଙ୍କ ପାଇଁ ନିଶ୍ଚିତ ଭାବେ କଷ୍ଟକର ହୋଇଯିବ। ରୟାଲ ଚାଲେଞ୍ଜର୍ସ ବିପକ୍ଷ ପୂର୍ବ ମ୍ୟାଚ୍ରେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଏକାକି ସିଏସ୍କେକୁ ବିଜୟୀ କରାଇଥିଲେ। ବ୍ୟାଟିଂ, ବୋଲିଂ, କ୍ଷେତ୍ରରକ୍ଷଣ ତିନିଟି ଯାକ ଦିଗରେ ଆଖିଦୃଶିଆ ପ୍ରଦର୍ଶନ କରି ଆର୍ସିବିକୁ ପୂରା ଘାଇଲା କରି ଦେଇଥିଲେ। ସାଥୀ ଖେଳାଳିମାନେ ସ୍ନେହରେ ‘ସାର୍ ଜାଦେଜା’ ଡାକୁଥିବା ରବୀନ୍ଦ୍ରଙ୍କ ପ୍ରେମରେ ପ୍ରତିପକ୍ଷ ଅଧିନାୟକ ବିରାଟ କୋହଲି ମଧ୍ୟ ପଡ଼ି ଯାଇଥିଲେ। ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସେ ଏହି ପ୍ରଦର୍ଶନକୁ ଦୋହରାଇବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ସିଏସ୍କେର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁ’ପ୍ଲେସିସ୍ ଓ ଋତୁରାଜ ଗାଏକ୍ବାଡ୍ ମଧ୍ୟ ଭଲ ଫର୍ମରେ ଅଛନ୍ତି। ତୃତୀୟ ସ୍ଥାନରେ ବ୍ୟାଟିଂ କରୁଥିବା ମୋଇନ ଅଲ୍ଲୀ ଓ ଚତୁର୍ଥରେ ଆସୁଥିବା ସୁରେଶ ରାଇନାଙ୍କର ଯେ କୌଣସି ମ୍ୟାଚ୍ର ଗତିପଥ ବଦଳାଇ ଦେବାର ପୂରା ଦକ୍ଷତା ରହିଛି। ସନ୍ରାଇଜର୍ସ ସ୍ପିନର ରସିଦ ଖାନ୍ ଏମାନଙ୍କ ପାଇଁ ବିପଦ ହୋଇ ପାରନ୍ତି। ହେଲେ ରସିଦଙ୍କୁ ଛାଡ଼ିଦେଲେ ଏହି ଦଳର ବୋଲିଂ ବାହିନୀ ସେତେଟା ଶକ୍ତିଶାଳୀ ମନେ ହେଉନି। ଭୁବନେଶ୍ବରଙ୍କୁ ନେଇ ଆଶଙ୍କା ଲାଗି ରହିଛି। ଟି. ନଟରାଜନ ପୂରା ଋତୁରୁ ବାଦ ପଡ଼ିସାରିଛନ୍ତି। ସନ୍ରାଇଜର୍ସର ବ୍ୟାଟିଂ ମଧ୍ୟ ୱାର୍ଣ୍ଣର, ଜନି ବେୟାରଷ୍ଟୋ ଓ କେନ୍ ୱିଲିୟମସନ୍ଙ୍କ ଉପରେ ପୂରା ନିର୍ଭରଶୀଳ। ଚେନ୍ନାଇ ପାଖରେ କିନ୍ତୁ ବେଶ୍ ଦକ୍ଷ ବୋଲର ରହିଛନ୍ତି। ଦୀପକ ଚହର, ସାମ୍ କରନ ଦ୍ରୁତ ବୋଲିଂ ବିଭାଗକୁ ସମ୍ଭାଳୁଥିଲା ବେଳେ ଜାଦେଜା ଓ ତାହିର ଯେ କୌଣସି ବ୍ୟାଟିଂ କ୍ରମକୁ ଧ୍ବସ୍ତ କରିବାର ଦକ୍ଷତା ରଖନ୍ତି। ଅଧିନାୟକ ଧୋନିଙ୍କ ବ୍ୟାଟ୍ ଏବେ ସୁଦ୍ଧା ଶାନ୍ତ ରହିବା ତାଙ୍କ ପ୍ରଶଂସକଙ୍କୁ ଅବଶ୍ୟ ଟିକିଏ ନିରାଶ କରିଛି। ଅଲରାଉଣ୍ଡର ଡ୍ବେନ୍ ବ୍ରଭୋ ବି ସେତେଟା ସୁଯୋଗ ପାଇ ନାହାନ୍ତି। ସନ୍ରାଇଜର୍ସ ବିପକ୍ଷରେ ଉଭୟ ନିଜ ପୁରୁଣା କମାଲ ଦେଖାଇବା ଆଶାରେ ରହିବେ।
ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ୍ ୱାର୍ଣ୍ଣର (କ୍ୟାପଟେନ୍), ଜନ୍ନି ବେୟାରଷ୍ଟୋ, କେନ୍ ୱିଲିୟମସନ୍, ମନିଷ ପାଣ୍ଡେ, କେଦାର ଯାଦବ, ବିଜୟ ଶଙ୍କର, ରଶିଦ୍ ଖାନ୍, ଜେ ସୁଚିତ୍, ସନ୍ଦୀପ ଶର୍ମା, ଖଲୀଲ ଅହମ୍ମଦ, ସିଦ୍ଧାର୍ଥ କୌଲ ।
ଚେନ୍ନାଇ ସୁପର୍ କିଙ୍ଗସ୍: ଋତୁରାଜ ଗାଏକ୍ୱାଡ, ଫାଫ୍ ଡୁପ୍ଲେସିସ୍, ସୁରେଶ ରାଇନା, ମୋଇନ୍ ଅଲୀ, ଅମ୍ବାତି ରାୟୁଢୁ, ମହେନ୍ଦ୍ର ସିଂ ଧୋନି, ରବୀନ୍ଦ୍ର ଜାଡେଜା, ସାମ୍ କୁରାନ୍, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର୍, ଲୁଙ୍ଗି ଏନଗିଡି ।