ଆଇପିଏଲ୍-୨୦୨୧ : ଆଜି ମୁମ୍ବାଇ ଓ ହାଇଦରାବାଦ ମୁକାବିଲା
- ‘କର ବା ମର’ ସ୍ଥିତିରେ ହାଇଦରାବାଦ
ନୂଆଦିଲ୍ଲୀ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ମଙ୍ଗଳବାର ୩୧ତମ ଲିଗ୍ ମ୍ୟାଚ ଖେଳାଯିବ । ଏଥିରେ ଦୁଇ ପୂର୍ବତନ ଚମ୍ପିଆନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍ରାଇଜର୍ସ ହାଇଦରାବାଦ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳଙ୍କ ପାଇଁ ଏହି ମ୍ୟାଚ୍ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ତେବେ ସନ୍ରାଇଜର୍ସ ପାଇଁ ଆଗକୁ ସମସ୍ତ ଲିଗ୍ ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ସନ୍ରାଇଜର୍ସ ଅଦ୍ୟାବଧି ୭ଟି ମ୍ୟାଚ୍ ଖେଳି ମାତ୍ର ଗୋଟିଏ ଜିତି ୬ଟିରେ ପରାଜିତ ହୋଇଛି। ୨ ପଏଣ୍ଟ ସହ ଏହା ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି। ପ୍ଲେଅଫ୍ ଆଶା ବଜାୟ ରଖିବା ପାଇଁ ସନ୍ରାଇଜର୍ସକୁ ବାକି ୭ଟିଯାକ କିମ୍ବା ଅତିକମ୍ରେ ୬ଟି ମ୍ୟାଚ୍ ଜିତିବାକୁ ପଡ଼ିବ। ଅନ୍ୟପକ୍ଷରେ ୫ ଥର ଚମ୍ପିଆନ୍ ମୁମ୍ବାଇ ଇଣ୍ଡିଆନ୍ସ ୭ଟି ମ୍ୟାଚ୍ରୁ ୪ଟି ଜିତି ୪ର୍ଥ ସ୍ଥାନରେ ରହିଛି। ଶନିବାର ନୈରାଶ୍ୟଜନକ ସ୍ଥିତିରୁ କୈରନ୍ ପୋଲାର୍ଡଙ୍କ ପ୍ରହାର ବଳରେ ଚେନ୍ନଇ ସୁପର କିଙ୍ଗ୍ସକୁ ହରାଇବା ପରେ ମୁମ୍ବଇ ଇଣ୍ଡିଆନ୍ସର ମନୋବଳ ଦୃଢ଼ରହିଛି। ତେଣୁ ୫ମ ବିଜୟ ସହ ପଏଣ୍ଟ ତାଲିକାର ଉପରକୁ ଯିବାର ପ୍ରୟାସ କରିବ ମୁମ୍ବାଇ।
ଦୁଇ ଦଳ ମଧ୍ୟରେ ଚଳିତ ବର୍ଷର ଏହା ଦ୍ବିତୀୟ ମୁକାବିଲା। ଏପ୍ରିଲ୍ ୧୭ ତାରିଖରେ ପ୍ରଥମ ଭେଟରେ ମୁମ୍ବାଇ ଇଣ୍ଡିଆନ୍ସ ୧୩ ରନ୍ରେ ବିଜୟୀ ହୋଇଥିଲା। ଏହି ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ହାଇଦ୍ରାବାଦ ରହିଥିଲେ ମଧ୍ୟ ସଂଘର୍ଷରତ ଏହି ଦଳ ପାଇଁ ବିଜୟ ସହଜ ହେବ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ଅସ୍ଥିର ପ୍ରଦର୍ଶନ ଦେଉଥିଲେ ମଧ୍ୟ ଗତ ମ୍ୟାଚ୍ରେ କିରଣ ପୋଲାର୍ଡଙ୍କ ୩୪ ବଲ୍ ୮୭* ରନ୍ ଦଳକୁ ପ୍ରଥମ ଥର ୨୦୦ରୁ ଅଧିକ ରନ୍ (ଚେନ୍ନାଇର ୨୧୮)କୁ ପଶ୍ଚାତଧାବନରେ ସଫଳ କରାଇଥିଲା। ଏହା ଦଳର ମନୋବଳକୁ ବଢ଼ାଇଛି। ମୁମ୍ବାଇ ପଏଣ୍ଟ୍ ଟେବୁଲ୍ ପ୍ରଥମ ଅଧା ଭିତରେ ରହିଥିବାବେଳେ ସନ୍ରାଇଜର୍ସ ହାଇଦ୍ରାବାଦ ଶେଷ ସ୍ଥାନରେ ସଂଘର୍ଷ କରୁଛି। ରାଜସ୍ଥାନ ରୟାଲ୍ସ ନିକଟରୁ ଗତ ମ୍ୟାଚ୍ ହାରିଥିବା ଏହି ଦଳ ୭ଟିରୁ ୬ଟି ପରାଜୟ ସହ ଭାଗ୍ୟର ସାହା ଲୋଡୁଛି। ନିୟମିତ ଅଧିନାୟକ ଡେଭିଡ୍ ୱାର୍ଣ୍ଣରଙ୍କୁ ନେତୃତ୍ବ ସହିତ ଗତ ମ୍ୟାଚ୍ର ଚୂଡାନ୍ତ ଏକାଦଶରୁ ବାହାର କରାଯିବା ପରେ କେନ୍ ୱିଲିୟମସନ୍ ଦାୟିତ୍ବ ସମ୍ଭାଳିଛନ୍ତି। କିନ୍ତୁ ପ୍ରଦର୍ଶନରେ ବିଶେଷ କିଛି ଫରକ ପଡ଼ିପାରିନାହିଁ। ୱାର୍ଣ୍ଣରଙ୍କୁ ଚୂଡ଼ାନ୍ତ ଏକାଦଶରୁ ମଧ୍ୟ ବାଦ୍ ଦିଆଯିବାକୁ ଅନେକେ ନାପସନ୍ଦ କରିଛନ୍ତି। ରବିବାର ୱିଲିୟମ୍ସନଙ୍କ ନେତୃତ୍ବାଧୀନ ସନ୍ରାଇଜର୍ସ ହାଇଦରାବାଦକୁ ସହଜରେ ୫୫ ରନ୍ରେ ରାଜସ୍ଥାନ ରୟାଲ୍ସ ପରାସ୍ତ କରିଛି। ପ୍ରଥମେ ଦଳର ବୋଲିଂ ବିଫଳ ହେବାରୁ ରାଜସ୍ଥାନ ବିଶାଳ ୨୨୦ ରନ୍ କରିଥିଲା। ଓପ୍ନରଙ୍କ ଭଲ ପ୍ରଦର୍ଶନ ସତ୍ତ୍ବେ ସନ୍ରାଇଜର୍ସ ପରାଜୟ ଭୋଗିଥିଲା। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମା, କ୍ବିଣ୍ଟନ୍ ଡି’କକ୍, କିରଣ ପୋଲାର୍ଡ ଭଲ ଫର୍ମକୁ ଫେରିଥିବାବେଳେ ପାଣ୍ଡ୍ରା ଭ୍ରାତାଙ୍କ ପ୍ରଦର୍ଶନ ଆଶା ମୁତାବକ ହୋଇପାରିନାହିଁ। ସୂର୍ଯ୍ୟକୁମାର ଯାଦବ ମଧ୍ୟ ୭ ମ୍ୟାଚ୍ରୁ ୧୭୩ ରନ୍ କରି ଅସ୍ଥିର ରହିଛନ୍ତି। ରୋହିତ ଏବଂ କ୍ବିଣ୍ଟନଙ୍କୁ କିନ୍ତୁ ଭଲ ଆରମ୍ଭକୁ ବଡ଼ ଭାଗୀଦାରିରେ ପରିଣତ କରିବାର ଆବଶ୍ୟକତା ରହିଛି। ଜିମ୍ମି ନିସାମ ଗତ ମ୍ୟାଚ୍ରେ ପ୍ରଭାବ ପକାଇପାରିନଥିବାରୁ ଈଶାନ କିଶନ କିମ୍ବା ଜୟନ୍ତ ଯାଦବଙ୍କ ମଧ୍ୟରୁ କାହାକୁ ଚୂଡାନ୍ତ ଏକାଦଶକୁ ଆଣିବ ଯୋଜନା କରୁଛି। ଡେଥ୍ ଓଭରରେ ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ୍ ବୋଲ୍ଟ ଭଲ କରୁଥିଲେ ମଧ୍ୟ ଏବେ ବ୍ୟୟବହୁଳ ସାବ୍ୟସ୍ତ ହେବା ଦଳ ପାଇଁ ଚିନ୍ତାର କାରଣ ହେଲାଣି। ହାଇଦ୍ରାବାଦକୁ କିନ୍ତୁ ପ୍ରତିଶୋଧ ନେବା ସହ ଶେଷ ସ୍ଥାନ ଛାଡ଼ିବାକୁ ହେଲେ ଜୋରଦାର ପ୍ରଦର୍ଶନର ଆବଶ୍ୟକତା ରହିଛି। ଅନେକ ସମସ୍ୟା ମଧ୍ୟରେ ରହିଥିବା ଏହି ଦଳ ପାଇଁ ଜନି ବେୟାରଷ୍ଟୋ (୨୪୮ ରନ୍) ଏକମାତ୍ର ଭରସା ଦେଇଛନ୍ତି। ମନୀଷ ପାଣ୍ଡେ ମଧ୍ୟ ଗତ ମ୍ୟାଚ୍ରେ ଭଲ ଖେଳିଥିଲେ। ମଧ୍ୟକ୍ରମରେ ବିଜୟ ଶଙ୍କର, କେଦାର ଯାଦବ, ଅବଦୁଲ ସମାଦ, ମହମ୍ମଦ ନବି ନିରାଶ କରି ଚାଲିଛନ୍ତି। ବୋଲିଂରେ ରସିଦ୍ ଖାନ୍ (୧୦ ୱିକେଟ)ଙ୍କୁ ଛାଡିଦେଲେ ଭୁବନେଶ୍ବର କୁମାର, ଖଲିଲ୍ ଅହମ୍ମଦ ମଧ୍ୟ ନିଜ ଦକ୍ଷତା ମୁତାବକ ଖେଳ ଦେଖାଇନାହାନ୍ତି। ସିଦ୍ଧାର୍ଥ କୌଲଙ୍କ ବଦଳରେ ସନ୍ଦୀପ ଶର୍ମାଙ୍କୁ ଦଳ ଖେଳାଇବା ଯୋଜନା କରୁଛି। ପୂର୍ବରୁ ଦୁଇ ଦଳ ମଧ୍ୟରେ ବିଗତ ୫ ମୁକାବିଲାରୁ ମୁମ୍ବାଇ ୪ଟି ଜିତିଥିବାରୁ ମଙ୍ଗଳବାର ନିଶ୍ଚିତ ଦାବିଦାର ରହିବ। ୨୦୧୯ରେ ଉଭୟ ମୁକାବିଲା ମୁମ୍ବାଇ ଜିତିଥିଲେ ମଧ୍ୟ ଗୋଟିଏ ସୁପର୍ ଓଭରରେ ଫଏସଲା ହୋଇଥିଲା। ସେହିଭଳି ଗତବର୍ଷ ପ୍ରଥମଟି ମୁମ୍ବାଇ ଜିତିଥିଲେ ମଧ୍ୟ ଦ୍ବିତୀୟଟିକୁ ହାଇଦ୍ରାବାଦ ୧୦ ୱିକେଟ୍ରେ ଜିତି ପ୍ରତିଶୋଧ ନେଇଥିଲା। ଏବେ ଗତବର୍ଷର ପ୍ରଦର୍ଶନକୁ ଦୋହରାଇ ଦଳ ଚଳିତ ବର୍ଷର ପ୍ରଥମ ଭେଟ ପରାଜୟର ପ୍ରତିଶୋଧ ନେବାକୁ କେନ୍ ୱିଲିୟମସନ୍ଙ୍କ ଦଳ ଆଶା ରଖିଛି।
ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, କ୍ବିଣ୍ଟନ୍ ଡି’କକ୍, ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ୍ ବୋଲ୍ଟ, ଆଦାମ ମିଲନେ, ନାଥନ୍ କୁଲଟର୍ ନାଇଲ, ପୀୟୂଷ ଚାୱଲା, ଜିମ୍ମି ନିସାମ, ଆଦିତ୍ୟ ତାରେ, କ୍ରୁନାଲ ପାଣ୍ଡ୍ୟା, ମୋହସିନ୍ ଖାନ୍, ଅନୁକୂଳ ରାୟ, ଅନମୋଲପ୍ରୀତ୍ ସିଂହ, କ୍ରିସ୍ ଲିନ୍, ଧବଲ କୁଲକର୍ଣ୍ଣି, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ୍ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, ଯୁଦ୍ଦବୀର ଚରକ, ମାର୍କୋ ଜେନସେନ୍, ଅର୍ଜୁନ ତେନ୍ଦୁଲକର।
ସନ୍ରାଇଜର୍ସ ହାଇଦ୍ରାବାଦ : କେନ୍ ୱିଲିୟମସନ୍ (ଅଧିନାୟକ), ବିରାଟ ସିଂହ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ ସ୍କିଟ୍, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସମଦ, ଭୁବନେଶ୍ବର କୁମାର, ରସିଦ ଖାନ୍, ଟି ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କୌଲ, ବାସିଲ ଥମ୍ପି, ଶାହବାଜ ନଦୀମ, ମୁଜିବ ଉର ରହମାନ, ଡେଭିଡ୍ ୱାର୍ଣ୍ଣର।