ଆଇପିଏଲ-୨୦୨୧ : ଆଜି ବାଙ୍ଗାଲୋର-କୋଲକାତା ମୁହାଁମୁହିଁ
ଅହମ୍ମଦାବାଦ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ସୋମବାର ୩୦ତମ ଲିଗ୍ ମ୍ୟାଚ ଖେଳାଯିବ । ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହେବେ । ନାଇଟ ରାଇଡର୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ ରଖିଥିବା ବେଳେ ୨ଟି ମ୍ୟାଚ୍ ପରାଜିତ ହେବା ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ପୁଣିଥରେ ବିଜୟ ଧାରାକୁ ଫେରିବାକୁ ବ୍ୟାକୁଳ ରହିଛି । ସେହିପରି ଉଭୟ ଦଳ ଗତ ମାସ ୧୮ ତାରିଖରେ ପରସ୍ପରକୁ ଭେଟିଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ୩୮ ରନ୍ରେ ଉକ୍ତ ମ୍ୟାଚ୍ ଜିତିଥିଲା । ଏଥର ନାଇଟ ରାଇଡର୍ସ ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ରୟାଲ୍ ଚ୍ୟାଲେଞ୍ଜର୍ସ ପାଇଁ ଉପଯୁକ୍ତ ରଣନୀତି ପ୍ରସ୍ତୁତ ହେବା ଜରୁରୀ । କେବଳ ସେତିକି ନୁହେଁ, ବ୍ୟାଟିଂ ବିଭାଗ ସୁଦୃଢ ହେବା ନିହାତି ଆବଶ୍ୟକ । ନାଇଟ୍ ରାଇଡର୍ସର ଓପନିଂ ବିଭାଗ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ । ସୋମବାର ଏହି ତ୍ରୁଟି ସୁଧାରିବାକୁ ଦଳ ପ୍ରୟାସ କରିବ। ନିତିଶ ରାଣା ଓ ଶୁଭମନ ଗିଲଙ୍କ ମଧ୍ୟରୁ ଜଣେ ଏକାଦଶରୁ ବାଦ ପଡ଼ିବା ସମ୍ଭାବନା ରହିଛି । ଟାଇଟଲ ଦାବିଦାର ରୂପେ ଉଭା ହୋଇଥିଲେ ହେଁ ରୟାଲ୍ ଚ୍ୟାଲେଞ୍ଜର୍ସ ଦଳରେ ତ୍ରୁଟି ଦେଖିବାକୁ ମିଳିଛି । ବିଶେଷ କରି ବାମ ହାତି ସ୍ପିନରଙ୍କ ବିପକ୍ଷରେ ରୟାଲ୍ ଚ୍ୟାଲେଞ୍ଜର୍ସ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଛନ୍ତି । ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଟ୍ସମ୍ୟାନମାନେ ରବିନ୍ଦ୍ର ଜାଡେଜାଙ୍କ ମୁକାବିଲା କରିପାରି ନଥିଲେ । ସେହିପରି ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ହରପ୍ରୀତ ବ୍ରାରଙ୍କ ସ୍ପିନକୁ ପରଖିବାରେ କୋହଲି ବାହିନୀ ବିଫଳ ହୋଇଥିଲା । ଅନ୍ୟପକ୍ଷରେ କଲକାତା ନାଇଟ୍ ରାଇଡର୍ସ ୭ଟି ମ୍ୟାଚରୁ ୨ଟି ବିଜୟ ଓ ୫ଟି ପରାଜୟ ସହ ୪ ପଏଣ୍ଟ ପାଇଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୫ଟି ବିଜୟ ଓ ୨ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି।
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ସମ୍ଭାବ୍ୟ ଦଳ :
ଦେବଦତ୍ତ ପଡିକଲ, ବିରାଟ କୋହଲି, ରଜତି ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡି’ଭିଲିୟର୍ସ (ୱିକେଟରକ୍ଷକ), କାଇଲ୍ ଜାମସନ୍, ଡାନିଏଲ୍ ସାମ୍ସ, ୱାସିଂଟନ୍ ସୁନ୍ଦର, ହର୍ଷଲ ପଟେଲ୍, ମହମ୍ମଦ ସାମି, ୟୁଝବେନ୍ଦ୍ର ଚହଲ।
କୋଲକାତା ନାଇଟ୍ ରାଇଡର୍ସ ସମ୍ଭାବ୍ୟ ଦଳ :
ରାହୁଲ ତ୍ରିପାଠୀ, ସୁନିଲ ନାରାୟଣ, ଇଅନ୍ ମୋର୍ଗାନ୍, ଆନ୍ଦ୍ରେ ରସେଲ୍, ଦୀନେଶ କାର୍ତ୍ତିକ, ପ୍ୟାଟ୍ କମିନ୍ସ, ଗୁରକିରଟ୍ ସିଂହ/ସେଲଡନ୍ ଜ୍ୟାକସନ୍, ଶିଭମ ମାଭି/କମଲେଶ ନାଗରକୋଟି, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କୃଷ୍ଣ।