ଆଇପିଏଲ-୨୦୨୧ : ଆଜି ମୁହାଁମୁହିଁ ହେବେ ଦିଲ୍ଲୀ-କୋଲକାତା

ନୂଆଦିଲ୍ଲୀ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ଗୁରୁବାର ୨୫ତମ ତମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ଯୁବ ଅଧିନାୟକ ଋଷବ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଓ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ୍ ରାଇଡର୍ସ । ଆଇପିଏଲ୍ ଇତିହାସକୁ ତର୍ଜମା କଲେ ଜଣାପଡ଼େ ଯେ ଉଭୟ ଦଳ ଗତ ୧୩ ସଂସ୍କରଣରେ ୨୬ ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ କୋଲକାତା ୧୪ ମ୍ୟାଚ୍ ଜିତି ସାମାନ୍ୟ ଆଗରେ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ ୧୧ ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ର ଫଳାଫଳ ମିଳିନି।
ଦିଲ୍ଲୀ ତା’ର ପୂର୍ବ ମ୍ୟାଚ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଜୋରଦାର ଲଢ଼େଇ କରି ମାତ୍ର ୧ ରନ୍ରେ ପରାଜିତ ହୋଇଥିଲା। ଏହା ପୂର୍ବରୁ ସୁପର ଓଭର ବିଜୟ ପାଇଥିଲା। ଅନ୍ୟପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ତା’ର ଗତ ମୁକାବିଲାରେ ପଞ୍ଜାବ କିଙ୍ଗ୍ସକୁ ୫ ୱିକେଟ୍ରେ ପରାସ୍ତ କରିଥିଲା। ପଞ୍ଜାବକୁ ୧୨୩ ରନ୍ରେ ରୋକିବା ପରେ ଅଧିନାୟକ ଇଅନ ମୋର୍ଗାନଙ୍କ ଅର୍ଦ୍ଧଶତକ ବଳରେ ୩.୨ ଓଭର ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଆର୍ସିବିଠାରୁ ହାରିବା ସତ୍ତ୍ବେ ଦିଲ୍ଲୀ କ୍ୟାପିଟାଲ୍ସ ସେତେଟା ଚିନ୍ତାରେ ନଥିବ। ଏହି ଦଳର ଓପନିଂ ଯୋଡ଼ି ପୂରା ଫର୍ମରେ ଅଛନ୍ତି। ଦ୍ରୁତ ବୋଲର ଅଭେସ ଖାନ୍ ନିଜ ସିମ୍ ଓ ସୁଇଂରେ ବିରାଟ କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନ୍ଙ୍କୁ ବି ଧରାଶାୟୀ କରୁଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ବ୍ୟାଟ୍ସମ୍ୟାନ୍ଙ୍କୁ ଅଧିକ ସୁହାଉଥିବାରୁ ଦିଲ୍ଲୀ ପାଇଁ ଏଠାରେ ଖେଳିବା ସହଜ ହେବ। ଦିଲ୍ଲୀ ଏହି ମ୍ୟାଚ୍ ଲାଗି ନିଜ ଦଳରେ କୌଣସି ବଡ଼ ଧରଣର ଅଦଳ ବଦଳ କରିବାର ସମ୍ଭାବନା ପ୍ରାୟ ନାହିଁ। କୋଲକାତା ବି କୌଣସି ବଡ଼ ଧରଣର ପରିବର୍ତ୍ତନ କରିନପାରେ। ରବିଚନ୍ଦ୍ରନ୍ ଅଶ୍ଵିନ ଓହରିବା ପରେ ଭେଟେରାନ୍ ବୋଲର ଈଶାନ୍ତ ଶର୍ମାଙ୍କୁ ଗତମ୍ୟାଚ୍ରେ ଦିଲ୍ଲୀ ସୁଯୋଗ ଦେଇଥିଲା। ସେ ବି ନିରାଶ କରିନଥିଲେ। କୋଲକାତା ପାଇଁ ବ୍ୟାଟିଂ ମୁଖ୍ୟ ଚିନ୍ତାର କାରଣ ହୋଇପାରେ। ନୀତୀଶ ରାଣା, ମୋର୍ଗାନ ଭଲ କରୁଛନ୍ତି। ଦୀନେଶ କାର୍ତ୍ତିକ ଓ ଆନ୍ଦ୍ରେ ରସେଲ ବି ଭଲ ବ୍ୟାଟିଂ କରୁଛନ୍ତି। ହେଲେ କେହି ଆଖିଦୃଶିଆ ପାଳି ଖେଳିନାହାନ୍ତି। ପଞ୍ଜାବ ବିପକ୍ଷରେ ୧୨୪ ରନ୍ର ଛୋଟିଆ ଲକ୍ଷ୍ୟକୁ ହାସଲ କରିବାକୁ ଏହି ଦଳ ଅଧା ଖେଳାଳିଙ୍କୁ ହରାଇଥିଲା। ଗୁରୁବାର ଅମିତ ମିଶ୍ରା, କାଗିସୋ ରବାଦା, ଈଶାନ୍ତ ଶର୍ମାଙ୍କ ଭଳି ବୋଲରଙ୍କୁ ସମ୍ମୁଖୀନ ହେବାକୁ ଥିବାରୁ କୋଲକାତା ବ୍ୟାଟ୍ରଙ୍କୁ ନିଶ୍ଚିତ ଭାବେ ଦାୟିତ୍ୱବାନ ବ୍ୟାଟିଂ କରିବାକୁ ହେବ।
ଦିଲ୍ଲୀ କ୍ୟାପିଟାଲ୍ସ ଦଳ: ଋଷବ ପନ୍ତ୍ (ଅଧିନାୟକ ଓ ୱିକେଟ୍ ରକ୍ଷକ), ଶିଖର ଧାୱନ, ପୃଥ୍ବୀ ସ’, ଅଜିଙ୍କ୍ୟ ରାହାଣେ, ସିମ୍ରନ୍ ହେଟମେୟର୍, ମାର୍କସ ଷ୍ଟୋଇନିସ୍, କ୍ରିସ୍ ୱକ୍ସ, ରବିଚନ୍ଦ୍ରନ୍ ଅଶ୍ବିନ୍, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରବାଦା, ଅନରିକ୍ ନର୍ଖିୟା, ଈଶାନ୍ତ ଶର୍ମା, ଆଭେସ୍ ଖାନ୍, ଷ୍ଟିଭ୍ ସ୍ମିଥ୍, ଉମେଶ ଯାଦବ, ରିପଲ୍ ପଟେଲ୍, ବିଷ୍ଣୁ ବିନୋଦ, ଲୁକମାନ୍ ମେରିୱାଲା, ଏମ୍ ସିଦ୍ଧାର୍ଥ, ଟମ୍ କରନ୍, ସାମ୍ ବିଲିଙ୍ଗ୍ସ।
କୋଲକାତା ନାଇଟ୍ ରାଇଡର୍ସ ଦଳ: ଇଅନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ୍, ନୀତିଶ ରାଣା, ଟିମ୍ ସିଫର୍ଟ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, କୁଲଦୀପ ଯାଦବ, ଶିଭମ ମାଭି, ଲୋକି ଫର୍ଗୁସନ୍, ପ୍ୟାଟ୍ କମିନ୍ସ, କମଲେଶ ନାଗରକୋଟି, ସନ୍ଦୀପ ୱାରିୟର୍, ପ୍ରସିଦ୍ଧ କୃଷ୍ଣ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସକିବ୍ ଅଲ୍ ହାସନ୍, ସେଲଡନ୍ ଜ୍ୟାକସନ୍, ବୈଭବ ଆରୋରା, ହରଭଜନ ସିଂହ, କରୁଣ ନାୟାର୍, ବେନ୍ କଟିଂ, ଭେଙ୍କଟେଶ ଆୟର୍, ପବନ ନେଗି।