ଆଇପିଏଲ-୨୦୨୧ : ୧୮ ରନରେ ଜିତିଲା ଚେନ୍ନାଇ
- ସଂଘର୍ଷ କରି ହାରିଲା କୋଲକାତା ନାଇଟ୍ ରାଇଡର୍ସ, ଚେନ୍ନାଇର କ୍ରମାଗତ ତୃତୀୟ ବିଜୟ
ମୁମ୍ବାଇ : ଆଇପିଏଲ-୨୦୨୧ରେ ବୁଧବାର ଅନୁଷ୍ଠିତ ୧୫ଶ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ହାରିଲା କୋଲକାତା ନାଇଟ୍ ରାଇଡର୍ସ। ଏକଦା ୩୧ ରନରେ ୫ ଓ୍ଵିକେଟ୍ ହରାଇ ୧୦୦ ରନ ଭିତରେ ଅଲଆଉଟ୍ ହେବାକୁ ବସିଥିବା କୋଲକାତା ପାଟ୍ କମିନ୍ସ ଓ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଜରିଆରେ ଶେଷ ପର୍ଯ୍ୟନ୍ତ ଲଢି ଚେନ୍ନାଇ ହାତରୁ ୧୮ ରନରେ ପରାଜିତ ହୋଇଛି। ଏହି ବିଜୟ ସହ ଚେନ୍ନାଇ ଚତୁର୍ଥ ମ୍ୟାଚ୍ରୁ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଅନ୍ୟପଟେ କୋଲକାତାର ଏହା କ୍ରମାଗତ ତୃତୀୟ ପରାଜୟ।
ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଡୁପ୍ଲେସିସ୍ଙ୍କ ଅପରାଜିତ ୯୫ ଓ ଋତୁରାଜ ଗାଏକଓ୍ଵାର୍ଡଙ୍କ ୬୪ ରନ ବଳରେ ୩ ଓ୍ଵିକେଟ୍ ହରାଇ ୨୨୦ ରନ କରିଥିଲା। ଜବାବରେ ପାଟ୍ କମିନ୍ସଙ୍କ ଅପରାଜିତ ୬୬ ରନ, ଆନ୍ଦ୍ରେ ରସେଲଙ୍କ ୫୪ ଓ ଦିନେଶ କାର୍ତ୍ତିକଙ୍କ ୪୦ ରନ ସହାୟତାରେ କୋଲକାତା ନାଇଟ୍ ରାଇଡର୍ସ ୧୯.୧ ଓଭରରେ ୨୦୨ ରନ କରିବାକୁ ସକ୍ଷମ ହୋଇଥିଲା। ଚେନ୍ନାଇ ପକ୍ଷରୁ ଦୀପକ ଚହର ୨୯ ରନ ଦେଇ ୪ ସଫଳତା ପାଇଥିଲେ। ୨୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା କୋଲକାତା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ୫.୨ ଓଭରରେ ୩୧ ରନ କରି ୫ ଓ୍ଵିକେଟ୍ ହରାଇଥିଲା। ଲାଗୁଥିଲା ଦଳ ୧୦୦ ରନ ଭିତରେ ଅଲଆଉଟ୍ ହେବ। ହେଲେ ଆନ୍ଦ୍ରେ ରସେଲ କ୍ରିଜ୍କୁ ଓହ୍ଲାଇବା ମାତ୍ରେ ଚୌକା ଓ ଛକା ବର୍ଷା କରିଥିଲେ। ସେ ଦିନେଶ କାର୍ତ୍ତିକଙ୍କ ସହ ମିଶି ଚେନ୍ନାଇ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ। ଏକଦା ୫ ଓ୍ଵିକେଟ୍ ହରାଇ ୩୧ ରନ କରିଥିବା କେକେଆର ୧୦ ଓଭରରେ ୧୦୦ ରନ ଅତିକ୍ରମ କରିଥିଲା। ଆନ୍ଦ୍ରେ ରସେଲ ମାତ୍ର ୨୦ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ରସେଲ ୨୨ ବଲ୍ରୁ ୩ ଚୌକା ଓ ୬ ଛକା ସହ ୫୪ ରନ କରି ଆଉଟ୍ ହୋଇଥିଲେ। ରସେଲ ଓ କାର୍ତ୍ତିକ ଷଷ୍ଠ ଓ୍ଵିକେଟ୍ରେ ୮୧ ରନ ଯୋଡି ସ୍କୋରକୁ ୧୧୨ରେ ପହଞ୍ଚାଇଥିଲେ। ଦିନେଶ କାର୍ତ୍ତିକ ୨୪ ବଲ୍ରୁ ୪ ଚୌକା ଓ ୨ ଛକା ସହ ୪୦ ରନ କରି ଆଉଟ୍ ହେବା ପରେ କେକେଆରର ବିଜୟ ଆଶା ମଉଳି ଯାଇଥିଲା। କିନ୍ତୁ ପାଟ୍ କମିନ୍ସ ଗୋଟିଏ ପଟେ ଛିଡା ହୋଇ ଛକା ଓ ଚୌକା ମାରି ଚାଲିଥିଲେ। ସାମ କରନଙ୍କ ଗୋଟିଏ ଓଭରରେ ୨୮ ରନ ସଂଗ୍ରହ କରି ବିଜୟ ଉଜ୍ଜିବୀତ ରଖିଥିଲେ। ହେଲେ ଅନ୍ୟପଟୁ ସହଯୋଗ ନମିଳିବାରୁ କୋଲକାତା ୧୯.୧ ଓଭରରେ ୨୦୨ ରନରେ ଅଲଆଉଟ୍ ହୋଇଛି। କମିନ୍ସ ୩୪ ବଲ୍ରୁ ୩ ଚୌକା ଓ ୬ ଛକା ସହ ୫୫ ରନ କରି ଅପରାଜିତ ଥିଲେ। ଚେନ୍ନାଇ ପକ୍ଷରୁ ଦୀପକ ଚହର ୨୯ ରନ ଦେଇ ୪ ସଫଳତା ପାଇଥିଲେ। ଲୁଙ୍ଗି ଏନଗିଡି ୨୮ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ।