ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ

- ଅଲିମ୍ପିକ୍ ଯୋଗ୍ୟତା ହାସଲ ପାଇଁ ନିର୍ଦ୍ଧାରିତ ସମୟ ହାସଲ କରିବାରେ ପ୍ରଥମ ଭାରତୀୟ ସନ୍ତରଣକାରୀ
ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ । ଅଲିମ୍ପିକ୍ ଯୋଗ୍ୟତା ହାସଲ ପାଇଁ ନିର୍ଦ୍ଧାରିତ ସମୟ ହାସଲ କରିବାରେ ପ୍ରଥମ ଭାରତୀୟ ସନ୍ତରଣକାରୀ ହୋଇଛନ୍ତି। ରୋମର ସେଟ୍ଟେ କୋଲି ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ ଯୋଗୁ ସେ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
ସାଜନ ୨୦୦ ମିଟର ବଟରଫ୍ଲାଏ ବର୍ଗରେ ଏକ ମିନିଟ୍ ୫୬.୩୮ ସେକେଣ୍ଡରେ ଲକ୍ଷ୍ୟ ହାସଲ କରି ଏହି ରେକର୍ଡ କରିଛନ୍ତି। କ୍ବାଲିଫାଇଙ୍ଗ ସମୟର ୧୦ ସେକେଣ୍ଡ ପୂର୍ବରୁ ସେ ଏହି ଲକ୍ଷ୍ୟ ହାସଲ କରିଥିବା ଜଣାପଡ଼ିଛି। କେରଳର ସାଜନ ଟୋକିଓ ଅଲିମ୍ପିକ୍ ପାଇଁ ଟିକେଟ୍ ପାଇଥିବା ବେଳେ ୧୦୦ ମିଟର ବର୍ଗର ଶ୍ରୀହରି ନଟରାଜନ୍ କିନ୍ତୁ ୫ ମିଲିସେକେଣ୍ଡ ପାଇଁ ପଛରେ ରହିଯାଇଛନ୍ତି । ଫିନା ଅଲିମ୍ପିକ୍ କ୍ବାଲିଫାଇଙ୍ଗ ଇଭେଣ୍ଟ(ବେଲ୍ଗ୍ରେଡ୍ ଟ୍ରଫି)ରେ ସ୍ବର୍ଣ୍ଣ ପଦକ ଜିଣିବାର ୬ ଦିନ ପରେ ସାଜନ ପ୍ରକାଶ ଏହି ଲକ୍ଷ୍ୟ ହାସଲ କରିଛନ୍ତି। ସର୍ବିଆରେ ଆୟୋଜିତ ପ୍ରତିଯୋଗିତାରେ କେରଳର ୨୭ ବର୍ଷୀୟ ସନ୍ତରଣକାରୀ ସାଜନ ପ୍ରକାଶ ୧:୫୬:୯୫ ସେକେଣ୍ଡରେ ଲକ୍ଷ୍ୟ ପ୍ରାପ୍ତ କରି ଟୋକିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।