ଚଳିତବର୍ଷର ତୃତୀୟ ତ୍ରୟମାସ ସୁଦ୍ଧା ୫ କୋଟି ଡୋଜ୍ ଫାଇଜର ଟିକା କିଣିବ ଭାରତ!
![](https://thetruths.in/wp-content/uploads/2021/05/Pfzer-Vaccine.jpg)
ନୂଆଦିଲ୍ଲୀ : ଭାରତ ସରକାର ଚଳିତବର୍ଷର ତୃତୀୟ ତ୍ରୟମାସ ସୁଦ୍ଧା ୫ କୋଟି ଡୋଜ୍ ଫାଇଜର ଟିକା କିଣିପାରନ୍ତି। ଆମେରିକାର ଏହି ଟିକା ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଭାରତ ସରକାରଙ୍କ ସହ ଇତିମଧ୍ୟରେ ଏକାଧିକ ପର୍ଯ୍ୟାୟ ଆଲୋଚନା କରିସାରିଛନ୍ତି। କରୋନା ଟିକା ବ୍ୟବହାର କରାଗଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦ୍ୱାରା ଯଦି କୌଣସି ଅସୁବିଧା ହୁଏ ତାହେଲେ ସେ ବାବଦ ବୀମା ରାଶି ପ୍ରଦାନ ପ୍ରସଙ୍ଗକୁ ନେଇ ଦୁଇପକ୍ଷ ମଧ୍ୟରେ ଯେଉଁ ଅଚଳାବସ୍ଥା ଲାଗି ରହିଥିଲା ତାହା ଦୂର ହୋଇଯାଇଥିବା କୁହାଯାଉଛି। ଏହି ଟିକା ଦାମ୍ ଅପେକ୍ଷାକୃତ ଭାବେ ଅଧିକ ରହିବ। ତେବେ ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମ ପାଇଁ କମ୍ପାନି ଏହି ଟିକା ଉପଲବ୍ଧ କରାଇବ।
ଭାରତରେ ଟିକାର ଘୋର ଅଭାବ ଦେଖାଦେଇଛି। ଅନେକ ରାଜ୍ୟ ଏବେ ବିଶ୍ୱ ବଜାରରୁ କରୋନା ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବା ଲାଗି ଘୋଷଣା କରିସାରିଲେଣି। ଏଭଳି ସ୍ଥିତିରେ ଭାରତ ସରକାର ଚଳିତବର୍ଷର ତୃତୀୟ ତ୍ରୟମାସ ସୁଦ୍ଧା ୫ କୋଟି ଡୋଜ୍ ଫାଇଜର ଟିକା କିଣିବା ଖବର ଲୋକଙ୍କ ମନରେ ଆଶା ସଂଚାର କରିଛି। ଏଥିସହିତ ଆମେରିକାରେ ଯଦିଓ ଫାଇଜର ବା ମଡର୍ଣ୍ଣା ଟିକା ବ୍ୟବହାରକୁ ଅନୁମତି ଦିଆଯାଇଛି, ତଥାପି ବିଦେଶକୁ ଏହି ଟିକା ରପ୍ତାନି ପାଇଁ ଆଜି ପର୍ଯ୍ୟନ୍ତ ଅନୁମତି ଦିଆଯାଇ ନାହିଁ। ଯଦି ଆମେରିକା ଫାଇଜର ଟିକାକୁ ରପ୍ତାନି ପାଇଁ ଅନୁମତି ନଦିଏ ତାହେଲେ ୟୁରୋପୀୟ ଦେଶଗୁଡ଼ିକର କାରଖାନାରେ ଉତ୍ପାଦନ ହେଉଥିବା ଟିକାକୁ ଫାଇଜର ଭାରତକୁ ବିକ୍ରି କରିବା ସମ୍ଭାବନା ରହିଛି।