ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍ଭି ରମନା
ମୋହର ମାରିଲେ ରାଷ୍ଟ୍ରପତି, ଆସନ୍ତା ୨୪ରେ ଶପଥ ନେବେ
ନୂଆଦିଲ୍ଲୀ : ଜଷ୍ଟିସ୍ ନଥାଲାପତି ଭେଙ୍କଟ ରମନା ହେବେ ଭାରତର ୪୮ ତମ ପ୍ରଧାନ ବିଚାରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଜଷ୍ଟିସ୍ ରମନାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏପ୍ରିଲ ୨୪ରେ ସେ ଶପଥ ନେବେ । ଜଷ୍ଟିସ୍ ରମନା ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବ୍ଡେଙ୍କ ପରେ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ଜଜ୍ । ମାର୍ଚ୍ଚ ୨୪ ତାରିଖରେ ଚିଫ୍ ଜଷ୍ଟିସ୍ ଏସ୍ଏ ବୋବ୍ଡେ, ଜଷ୍ଟିସ୍ ରମନାଙ୍କ ନାଁକୁ ସୁପାରିଶ କରିଥିଲେ । ବର୍ତ୍ତମାନର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ଆସନ୍ତା ଏପ୍ରିଲ ୨୩ ତାରିଖରେ ସେବା ନିବୃତ ହେବେ ।
ଏପ୍ରିଲ୍ ୧୪ ତାରିଖରେ ରମନା ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଓ ତାଙ୍କର କାର୍ଯ୍ୟକାଳ ୨୦୨୨ ଅଗଷ୍ଟ ୨୬ ତାରିଖରେ ଶେଷ ହେବ। ବୋବ୍ଡ଼େଙ୍କ ପରେ ବିଚାରପତି ଏନ୍ଭି ରମନା ହେଉଛନ୍ତି ସୁପ୍ରିମ୍କୋର୍ଟର ସବୁଠୁ ବରିଷ୍ଠ ବିଚାରପତି। ଆନ୍ଧ୍ର ପ୍ରଦେଶସ୍ଥିତ କ୍ରିଷ୍ଣା ଜିଲ୍ଲାର ପୁନାଭରମ୍ ଗ୍ରାମର ଏକ କୃଷକ ପରିବାର ୧୯୫୭ ଅଗଷ୍ଟ ୨୭ରେ ଜନ୍ମଲାଭ କରିଥିଲେ ରମନା। ଜଷ୍ଟିସ୍ ରମନା ଜଣେ ଆଇନଜୀବୀ ଭାବେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ୧୯୮୩ ମସିହାରେ ବୃତ୍ତି ଆରମ୍ଭ କରିଥିଲେ। ଏହାପରେ ସେ ଆନ୍ଧ୍ରପ୍ରଦେଶର ଆଡଭୋକେଟ୍ ଜେନେରାଲ୍ ଭାବେ କାର୍ଯ୍ୟ କରିଥିଲେ। ସେ ୨୦୦୦ ମସିହା ଜୁନ୍ ମାସରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୪ ଫେବ୍ରୁଆରିରେ ସୁପ୍ରିମ୍କୋର୍ଟକୁ ଯିବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।