ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ
ନୂଆଦିଲ୍ଲୀ : ଓଡ଼ିଶାର କୋଟିଆ ସହ ପୂରା ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ଜଗନ ସରକାର ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ ଆନ୍ଧ୍ର ହାଇକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଛନ୍ତି । ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର ୮ ଦିନ ଭିତରେ ଭୋଟିଂ ହେଉଥିବାରୁ ଆନ୍ଧ୍ର ହାଇକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି । ଗତ ୧ ତାରିଖରେ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୮ ତାରିଖରେ ଭୋଟିଂ ଓ ୧୦ ତାରିଖରେ ଫଳାଫଳ ପ୍ରକାଶ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ନିଲମ ଶହନେୟ ବିଜ୍ଞପ୍ତି ପ୍ରକାଶ କରିଥିଲେ ।
କିନ୍ତୁ ଏତେ ତରବରିଆ ଓ ଖୁବକମ ଦିନରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ବିରୋଧୀ ଟିଡ଼ିପି , ବିଜେପି ଓ ଜନସେବା ପାର୍ଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ନିଜ ଆବେଦନରେ ଦର୍ଶାଇଥିଲେ ଯେ ସୁପ୍ରିମକୋର୍ଟ ଙ୍କ ଗାଇଡ଼ଲାଇନ ଅନୁଯାୟୀ ଯେ କୌଣସି ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବାର ଅତି କମରେ ୪ ସପ୍ତାହ ପରେ ଭୋଟିଂ ହେବାକଥା । ହେଲେ ନିର୍ବାଚନ ଅଧିକାରୀ ନିଲମ ଦାୟିତ୍ୱ ନେବାର ମାତ୍ର କିଛି ଦିନ ମଧ୍ୟରେ ତରବରିଆ ଭାବେ ବିଜ୍ଞପ୍ତି ପ୍ରକାଶ କରି ୮ ଦିନରେ ଭୋଟିଂ କରିବାକୁ କହିଥିଲେ । ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ ରାଜନୀତିକ ଦଳଗୁଡ଼ିକ ସହ ମଧ୍ୟ ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ ରାଜନୀତିକ ଦଳଗୁଡ଼ିକ ସହ ମଧ୍ୟ କୌଣସି ଆଲୋଚନା କରି ନଥିଲେ । ତେଣୁ ହାଇକୋର୍ଟ ଏହା ଉପରେ ରୋକ ଲଗାଇବା ଦରକାର । ଏପରିକି କି ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡ଼ିପି ପଞ୍ଚାୟତ ନିର୍ବାଚନକୁ ବୟକଟ ମଧ୍ୟ କରିଥିଲା । ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ନିର୍ବାଚନ ଅଧିକାରୀ ନିଲମ ଜାରି କରିଥିବା ବିଜ୍ଞପ୍ତି ଉପରେ ରୋକ ଲଗାଇ ଦେଇଛନ୍ତି । ଏଥିସହ କୋର୍ଟ ନିଲମଙ୍କୁ ଆସନ୍ତା ୧୫ ତାରିଖରେ ସତ୍ୟପାଠ ଜରିଆରେ ବିସ୍ତୃତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।