ସ୍ଥିତି ସୁଧୁରିଲେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଖେଳାଯିବ : ବିସିସିଆଇ ଉପାଧ୍ୟକ୍ଷ
![](https://thetruths.in/wp-content/uploads/2021/05/IPL.jpg)
ନୂଆଦିଲ୍ଲୀ : ଚଳିତବର୍ଷର ଆଇପିଏଲ ରଦ୍ଦ ହୋଇନି । କୋଭିଡ ସ୍ଥିତିରେ ସୁଧାର ଆସିଲା ପରେ ଆଇପିଏଲ-୨୦୨୧ରେ ବାକି ଥିବା ଅବଶିଷ୍ଟ ମ୍ୟାଚ୍ ଖେଳାଯିବ ନେଇ ବିସିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି । ଏପ୍ରିଲ ୯ରୁ ଆରମ୍ଭ ହୋଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗରୁ ମାତ୍ର ୨୯ ମ୍ୟାଚ୍ ଖେଳାଯାଇଛି । ଆହୁରି ୩୧ ଟି ମ୍ୟାଚ୍ ବାକି ରହିଛି । ଏ ପ୍ରଶ୍ନର ଉତ୍ତରରେ ବିସିସିସିଆଇ ଉପାଧ୍ୟକ୍ଷ କହିଛନ୍ତି ବନ୍ଦ ହୋଇନି ଆଇପିଏଲ । ଏହାକୁ କିଛିଦିନ ପାଇଁ ବ୍ରେକ୍ ଲଗାଯାଇଛି । ସମୟ ଆସିଲେ ସବୁ କିଛି ଠିକ୍ ହୋଇଗଲେ ପରବର୍ତ୍ତୀ ମ୍ୟାଚ୍ ସବୁ ଖେଳାଯିବାକୁ ନିଷ୍ପତ୍ତି ହୋଇଛି । ତେବେ କେବେ ହେବ ସେନେଇ ନିଷ୍ପତ୍ତି ହୋଇନି । ଏହା ଆଗାମୀ ଦିନରେ ସ୍ପଷ୍ଟ ହେବ । ଗତ କିଛିଦିନ ହେବ ଆଇପିଏଲରେ ଖେଳାଳୀମାନେ ଲାଗାତାର ଭାବେ ସଂକ୍ରମିତ ହେବାରେ ଲାଗିଥିଲେ । ଏପରିକି ଖେଳାଳୀଙ୍କ ସହ କୋଚ୍ ଓ ଅନ୍ୟାନ୍ୟ ସଦସ୍ୟ ବି କରୋନାର ଶିକାର ହୋଇଥିଲେ । ଏସବୁକୁ ଦୃଷ୍ଟିରେ ରଖି ଆଇପିଏଲ ବନ୍ଦ କରିବାକୁ ବାଧ୍ୟ ହୋଇଥିଲୁ ବୋଲି ବିସିସିଆଇ ଉପାଧ୍ୟକ୍ଷ କହିଛନ୍ତି ।
ଆଇପିଏଲ୍ର ୧୪ତମ ସଂସ୍କରଣକୁ ଗ୍ରାସ କରିଛି କରୋନା ମହାମାରୀର ଦ୍ଵିତୀୟ ଲହର। ସୋମବାର କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ଵାରିୟର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ସୋମବାର କେକେଆର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲା ସ୍ଥଗିତ ରଖା ଯାଇଥିଲା। ଏହା ବ୍ୟତୀତ ଚେନ୍ନାଇ ସୁପରକିଙ୍ଗ୍ସର ତିନି ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଏହା ପରେ ଆଇପିଏଲ୍ର ବାୟୋ ବବଲକୁ ନେଇ ପ୍ରଶ୍ନ ଉଠିଛି। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ପୂର୍ବରୁ ହାଇଦ୍ରାବାଦର ୨ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଥିଲେ ।ଦେଶରେ ବଢୁଥିବା କରୋନା ସଂକ୍ରମଣ ପରେ ମଧ୍ୟ ଆଇପିଏଲ୍ ବାତିଲ୍ ହୋଇନଥିଲା। ଅନେକ ଲୋକ ଏହି ଟୁର୍ଣ୍ଣାମେଣ୍ଟ ବନ୍ଦ କରିବାକୁ ଦାବି କରି ସାରିଛନ୍ତି। ସୂଚନା ଯେ, ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଓ୍ଵାର୍ଲ୍ଡ କ୍ରିକେଟ୍ର କାରବାର ପ୍ରାୟ ୧୫ ହଜାର କୋଟି ଟଙ୍କା। ଏଥିରୁ ୩୩ ପ୍ରତିଶତ ଆଇପିଏଲ୍ରୁ ହିଁ ଆସିଥାଏ। ଅର୍ଥାତ କେବଳ ଆଇପିଏଲ୍ରୁ ବିଶ୍ଵ କ୍ରିକେଟ୍କୁ ୫ ହଜାର କୋଟି ଟଙ୍କା ମିଳିଥାଏ। ଏହି କାରଣରୁ ବିସିସିଆଇକୁ ଟି-୨୦ ଲିଗ୍ ଆୟୋଜନରେ ଦୁନିଆର ଅନ୍ୟ କ୍ରିକେଟ୍ ବୋର୍ଡର ସହଯୋଗ ମିଳୁଛି।