ଆଇସିସି ଟେଷ୍ଟ ରାଙ୍କିଙ୍ଗ୍: ୮୦୦ରୁ ଅଧିକ ରେଟିଂ ପଏଣ୍ଟ ହାସଲ କଲେ ରୋହିତ
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଗୁରୁବାର ସଦ୍ୟତମ ଟେଷ୍ଟ ରାଙ୍କିଙ୍ଗ ଜାରି କରିଛି। ଏଥିରେ ଚତୁର୍ଥ ତଥା ଓଭାଲ ଟେଷ୍ଟରେ ଶତକ ଅର୍ଜନ କରିଥିବା ଭାରତର ଓପନର ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କୁ ଖାସ୍ ଉପଲବ୍ଧି ମିଳିଛି। ରୋହିତ ଶର୍ମା ପଞ୍ଚମ ସ୍ଥାନରେ ନିଜର ସ୍ଥିତି ଆହୁରି ମଜବୁତ କରିଛନ୍ତି। ରୋହିତଙ୍କୁ ୪୦ ପଏଣ୍ଟର ଫାଇଦା ମିଳିଛି। ସେହିପରି ଟେଷ୍ଟ କ୍ୟାରିୟରରେ ସେ ପ୍ରଥମ ଥର ୮୦୦ରୁ ଅଧିକ ରେଟିଂ ପଏଣ୍ଟ ହାସଲ କରିବାର ଉପଲବ୍ଧି ହାସଲ କରିଛନ୍ତି। ତାଙ୍କର ସଦ୍ୟତମ ଟେଷ୍ଟ ରେଟିଂ ହେଉଛି ୮୧୩ । ବିରାଟ କୋହଲି ପୂର୍ବବତ୍ତ ଷଷ୍ଠ ସ୍ଥାନରେ ରହିଛନ୍ତି।
ଏଥିସହ ରୋହିତ ଶର୍ମା ଏକବିଂଶ ଶତାବ୍ଦୀରେ ତାଙ୍କ ପୂର୍ବରୁ କେବଳ ୭ ଜଣ ଭାରତୀୟ ବ୍ୟାଟସମ୍ୟାନ ୮୦୦ ରେଟିଂର ଉପଲବ୍ଧି ହାସଲ କରିଥିଲେ। ଭାରତୀୟ ଅଧିନାୟକ ବିରାଟ କୋହଲି, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଚେତେଶ୍ଵର ପୂଜାରା, ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହ୍ଵାଗ ଓ ଆଜିଙ୍କ୍ୟ ରାହାଣେ ଏଥିରେ ସାମିଲ୍। ବ୍ୟାଟିଂରେ ଆଇସିସି ଟେଷ୍ଟ ମାନ୍ୟତାରେ ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ଵିତୀୟରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ଵିଲିୟମସନ ଏବଂ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ତୃତୀୟରେ ଅଛନ୍ତି। ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ଵିତୀୟ ଇନିଂସରେ ଦମଦାର ୧୨୭ ରନର ଇନିଂସ ଖେଳି ଭାରତର ସ୍ଥିତି ମଜବୁତ କରିଥିଲେ। ବିଦେଶ ମାଟିରେ ଏହା ରୋହିତ ଶର୍ମାଙ୍କ ପ୍ରଥମ ଟେଷ୍ଟ ଶତକ ଥିଲା। ଏହା ଟେଷ୍ଟରେ ତାଙ୍କର ଅଷ୍ଟମ ଶତକ ଥିଲା। ଉଲ୍ଲେଖଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି।