ହାଇଦର୍ ଏନକାଉଣ୍ଟର୍ ମାମଲା: ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଓଏଚଆରସିର ନୋଟିସ୍
ଭୁବନେଶ୍ୱର : କୁଖ୍ୟାତ ଅପରାଧୀ ହାଇଦର୍ ଏନକାଉଣ୍ଟର୍ ମାମଲାରେ ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ମାମଲା ରୁଜୁ ହୋଇଛି । ହାଇଦର ଏନକାଉଣ୍ଟର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଗୃହ ବିଭାଗ, ପୋଲିସ ଡିଜି, ଜେଲ ଡିଜି, ଟୁଇନ୍ ସିଟି କମିସନର୍, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ମାନବାଧିକାର କମିସନ୍।
ସୂଚନା ଯେ, ଗତ ୨୪ ତାରିଖରେ ପୋଲିସ୍ ବାଲେଶ୍ୱର ଜିଲ୍ଲାର ସିମୁଳିଆ ନିକଟରେ ହାଇଦରକୁ ଏନ୍କାଉଣ୍ଟର କରିଥିଲା। ଚୌଦ୍ବାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିବାବେଳେ ଅଧରାସ୍ତାରେ ଖସିଯିବାକୁ ହାଇଦର ଚେଷ୍ଟା କରିଥିବା ସମୟରେ ପୁଲିସ୍ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପୋଲିସ ଠାରୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେବାରୁ ଗ୍ୟାଙ୍ଗଷ୍ଟର ହାଇଦର ଉପରକୁ ଗୁଳି ଚଳାଯାଇଥିଲା ବୋଲି ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନାରେ ଦିଆଯାଇଥିବା ଏତଲାରେ ଏହା ଲେଖାଯାଇଛି। ହାଇଦରକୁ ଏସକର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ସାସେନି ସିମୁଳିଆ ଥାନାରେ ଏହି ଏତଲା ଦେଇଛନ୍ତି। ଏଥିରେ ଲେଖା ଯାଇଛି ଯେ, ସିମୁଳିଆରେ ପରିସ୍ରା କରିବା ପାଇଁ ହାଇଦର କହିବାରୁ ତାକୁ ନେଉଥିବା ଗାର୍ଡ, ଗୋଟିଏ ହାତର ହ୍ୟାଣ୍ଡକପ ଖୋଲିଥିଲେ। ଏହାର ସୁଯୋଗ ନେଇ ଗାର୍ଡଙ୍କଠାରୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇ ପୁଲିସ ଆଡ଼କୁ ଦେଖାଇ ଧମକାଇ ଥିଲା ଗ୍ୟାଙ୍ଗଷ୍ଟର ହାଇଦର।