ଆଜି ୨୦ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ସାରା ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ପ୍ରଭାବରେ ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ଜନିତ ବର୍ଷା । ଏହା ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଭାରତୀୟ ପାଣିପାଗ ବିଭାଗ ଅନୁମାନ ଅନୁଯାୟୀ, ଶୁକ୍ରବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ଦେବଗଡ଼ରେ ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । ସେହିପରି ଶନିବାର ବି ପ୍ରବଳ ବର୍ଷା ସମ୍ଭାବନା ଅଛି । ଲଘୁଚାପ ଶନିବାର ଅପରାହ୍ନ ସୁଦ୍ଧା ଉତ୍ତର ଆଡ଼କୁ ମୁହାଁଇ ବିହାର ଅଭିମୁଖେ ଯିବ । ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
ସେହିପରି ଆସନ୍ତା ୨୮ ତାରିଖବେଳକୁ ବାଂଲାଦେଶ ଓ ଏହାର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଅଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଡ଼କୁ ମୁହାଁଇବ । ଏହାର ପ୍ରଭାବ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ରହିବ । ଜୁଲାଇ ୨୮ରୁ ୩୦ ଯାଏଁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଅନୁଗୁଳ, ଯାଜପୁର ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଅଛି । ସୂଚନା ଯେ, ଆଜି ସୁଦ୍ଧା ରାଜ୍ୟରେ ୨୪% ବର୍ଷା କମ୍ ହୋଇଥିବାବେଳେ ୧୯ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ଅନୁମାନ କରାଯାଉଛି, ଏହି ବର୍ଷାରେ ସ୍ଥିତିରେ ସାମାନ୍ୟ ସୁଧାର ଆସିବ । ତେବେ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଯେତିକି ବିଳମ୍ବିତ ହୋଇଛି, ସେ କ୍ଷତି ଭରଣା ହେବ କି ନାହିଁ, ତାହା ଉପରେ ଚାଷୀଙ୍କ ନଜର ରହିଛି ।