ବେକରେ ବେଲ୍ଟ ଗୁଡ଼ାଇ ଥାନାରେ ଆତ୍ମହତ୍ୟା କଲେ ଅଭିଯୁକ୍ତ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳନ୍ଥରା ଥାନାରେ ଅଭାବନୀୟ ଘଟଣା । ଜଣେ ଅଭିଯୁକ୍ତ ବେକରେ ବେଲ୍ଟ ଗୁଡ଼ାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଥାନା ଭିତରେ ଥିବା ମହିଳା ଓ ଶିଶୁ ଡେସ୍କ କଠୋରୀ ଭିତରେ ଯୁବକ ଜଣଙ୍କ ବେଲ୍ଟ ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣଙ୍କ ରଙ୍ଗୀପୁର ଗାଁର ଗଣେଶ ଡାକୁଆ ।
ଆତ୍ମହତ୍ୟାବେଳେ ଚିତ୍କାର ଶୁଣି ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗାଁରେ କିଛି ଗଣ୍ଡଗୋଳ ଅଭିଯୋଗରେ ଯୁବକ ଜଣକ ଗୋଳନ୍ଥରା ଥାନାରେ ଅଟକ ଥିଲେ । ତେବେ ଗଣେଶକୁ ଜଗିବା ପାଇଁ ପୋଲିସ କର୍ମଚାରୀ ରହିବା କଥା । କିନ୍ତୁ ଯେଉଁ ସମୟରେ ସେ ଆତ୍ମହତ୍ୟା କଲେ ସେତେବେଳେ ଗଣେଶଙ୍କ ପାଖରେ କେହି ନଥିଲେ । ଘଟଣା ପରେ ଆତ୍ମହତ୍ୟାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଯଦି ଗଣେଶ ଆତ୍ମହତ୍ୟା କଲା, ତେବେ ସେଠାରେ କାହିଁକି କୌଣସି ପୋଲିସ କର୍ମଚାରୀ ନଥିଲେ । ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାକୁ ନେଇ ଖୋଳତାଡ କରୁଛି ପୋଲିସ । ଭୁଲ ଥିବା ଜଣାପଡିଲେ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ୍ ପି ପିନାକ ମିଶ୍ର ନ୍ୟୁଜ ସେଭେନକୁ କହିଛନ୍ତି ।