ଝାରସୁଗୁଡାର ସାହାସପୁର ପଞ୍ଚାୟତକୁ ୫ ଦିନ ପାଇଁ ଲକଡାଉନ୍ ଘୋଷଣା
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାର ସାହାସପୁର ପଞ୍ଚାୟତକୁ ୫ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ସରପଞ୍ଚ ଜିତେନ୍ଦ୍ର ରଣା । ସାହାସପୁର ସମେତ ପାକେଲପଡା ଓ କୁଲେମୁରା ପଂଚାୟତରେ ଦୈନିକ କରୋନା ସଂକ୍ରମଣ ବଢୁଥିବା ଯୋଗୁଁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସରପଞ୍ଚ ଲକଡାଉନ୍ ଘୋଷଣା କରିଛନ୍ତି ।
ଗତ ୫ ଦିନ ହେଲା ଝାରସୁଗୁଡ଼ା ଜିଲ୍ଲାରେ ଦୈନିକ ସଂକ୍ରମଣ ୩୦୦ ଉପରେ ରହୁଥିବା ଦେଖିବାକୁ ମିଳିଛି । ଏହାର ସିଧା ପ୍ରଭାବ ପଡିଛି ଲଇକେରା ବ୍ଲକର ସାହାସପୁର, ପାକେଲପଡା ଓ ଆଖପାଖ ଅଞ୍ଚଳରେ। ପ୍ରତ୍ୟେକ ଦିନ ୧୦ ରୁ ୧୨ ଜଣ ଆକ୍ରାନ୍ତ ଉଭୟ ପଞ୍ଚାୟତ ଅଞ୍ଚଳରୁ ଚିହ୍ନଟ ହେଉଥିବା ଜଣାପଡିଛି । ଏହି ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଲଇକେରା ବ୍ଲକର ସାହାସପୁର ପଞ୍ଚାୟତକୁ ୫ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ଏହି ଲକ୍ ଡାଉନ୍ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ବ୍ୟାଙ୍କ ଓ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡିକ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରପଞ୍ଚ । ଏହି ସମୟରେ କେବଳ ଔଷଧ ଦୋକାନ ଓ ଡାକ୍ତରଖାନା ବ୍ୟତୀତ ଅନ୍ୟ କୌଣସି ପ୍ରକାର ସୁବିଧା ମିଳିପାରିବ ନାହିଁ । ଏପରିକି ନିଜ ନିଜ ଘରୁ ମଧ୍ୟ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି । ୫ ଦିନ ପାଇଁ ବାହାର ଅଞ୍ଚଳର ଲୋକମାନେ ସାହାସପୁରକୁ ଆସିବା ଓ ସ୍ଥାନୀୟ ଲୋକମାନେ ବାହାର ଅଞ୍ଚଳକୁ ଯିବା ଆସିବା ଉପରେ ରୋକ୍ ଲଗାଯାଇଛି। ଯଦି ଏହାର ଖିଲାପ କଲେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସାହାସପୁର ସରପଞ୍ଚ ଜିତେନ୍ଦ୍ର ରଣା ।