ପଳାତକ ମେହୁଲ ଚୋକସିଙ୍କୁ ଜାମିନ

ରୋସେଓ : ଭାରତୀୟ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଲୁଟି ଫେରାର ହୋଇଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ସୋମବାର ମିଳିଲା ବଡ ଆଶ୍ଵସ୍ତି। ଡୋମିନିକା କୋର୍ଟ ମେହୁଲ ଚୋକସିଙ୍କୁ ଚିକିତ୍ସା ଆଧାରରେ ଜାମିନ୍ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ଆଣ୍ଟିଗୁଆ ଓ ବାରବୁଡା ଯିବାକୁ ଅନୁମତି ମିଳିଛି। କୋର୍ଟଙ୍କ ଏହି ପଦକ୍ଷେପରେ ଭାରତକୁ ଲାଗିଛି ଝଟକା। ତାଙ୍କୁ ପ୍ରାୟ ଦୁଇ ମାସ ପୂର୍ବେ ଡୋମିନିକାରେ ଗିରଫ କରାଯାଇଥିଲା। ଭାରତୀୟ ଏଜେନ୍ସି ତାଙ୍କ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ କରୁଥିଲେ।
ରିପୋର୍ଟ ଅନୁଯାୟୀ, ଚୋକସିଙ୍କ ବିରୋଧରେ ଡୋମିନିକାରେ ବେଆଇନ ଭାବେ ଅନୁପ୍ରବେଶ ଅଭିଯୋଗରେ ଅଦାଲତରେ ମାମଲା ଚାଲିଥିଲା। ଶୁଣାଣିକୁ ସଂପ୍ରତି ସ୍ଥଗିତ ରଖାଯାଇଛି। ଏଥିସହ ଭାରତ ପ୍ରତ୍ୟର୍ପଣ ପାଇଁ ଚାଲିଥିବା ଶୁଣାଣିକୁ ମଧ୍ୟ ସଂପ୍ରତି ଘୁଞ୍ଚାଇ ଦିଆଯାଇଛି। ଚୋକସିଙ୍କୁ ଚିକିତ୍ସା ପାଇଁ ଆଣ୍ଟିଗୁଆ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ ଏଜେନ୍ସିଙ୍କ ପାଇଁ ଚୋକସିଙ୍କୁ ଭାରତ ପ୍ରତ୍ୟର୍ପଣ ଏବେ ମୁସ୍କିଲ ନଜର ଆସୁଛି। ଅପରପକ୍ଷେ ଚୋକସି ନିଜକୁ ଆଣ୍ଟିଗୁଆର ନାଗରିକ ଦର୍ଶାଉଛନ୍ତି। ଆଣ୍ଟିଗୁଆ ସହିତ ଭାରତର ପ୍ରତ୍ୟର୍ପଣକୁ ନେଇ କୌଣସି ଚୁକ୍ତି ହୋଇନାହିଁ। ଅନ୍ୟପଟେ ଭାରତୀୟ ଏଜେନ୍ସିଙ୍କ ମତରେ ଚୌକସି ଭାରତର ନାଗରିକତା ଛାଡି ନଥିଲେ। ତେଣୁ ସେ ଆଣ୍ଟିଗୁଆର ନାଗରିକ ନୁହନ୍ତି।