ବାଲେଶ୍ୱର ସମୁଦ୍ରରେ ଆସନ୍ତାକାଲି ଠୁ ମାଛ ଧରା ବନ୍ଦ
ବାଲେଶ୍ୱର : ବାଲେଶ୍ୱର ସମୁଦ୍ରରେ ମାଛ ଧରା ବନ୍ଦ । ଆସନ୍ତାକାଲି ଠୁ ସମୁଦ୍ର ଭିତରେ ମାଛ ମାରି ପାରିବେ ନାହିଁ ମତ୍ସ୍ୟଜୀବୀ । ଅପ୍ରେଲ ୧୫ରୁ ଆସନ୍ତା ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ (୬୧ଦିନ) ରହିବ ଏହି କଟକଣା । ଏହି ସମୟରେ ମାଛମାନେ ବଂଶ ବିସ୍ତାର କରିଥାନ୍ତି । ଫଳରେ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ସେହିପରି ସମୁଦ୍ର ଭିତରେ କୌଣସି ଇଞ୍ଜିନ ଚାଳିତ ଡଙ୍ଗା ମଧ୍ୟ ପ୍ରବେଶ କରି ପାରିବେ ନାହିଁ । ଏ ନେଇ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ ସମୁଦ୍ର ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ ପରିବାର ଏବେ ଚିନ୍ତାରେ।
ସୂଚନା ଯେ, ବାହାବଳପୁର, ବଳରାମଗଡ଼ି, ଉଦୟପୁର, କୀର୍ତ୍ତନିଆ, ତାଳସାରି, ପନ୍ତେଇ ପ୍ରଭୃତି ମାଛଧରା କେନ୍ଦ୍ରରେ ହଜାର ହଜାର ମତ୍ସ୍ୟଜୀବୀ ପରିବାର ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରିଥାନ୍ତି । ବାହାବଳପୁର ମାଛଧରା କେନ୍ଦ୍ରରେ ପ୍ରାୟ ୧୫ହଜାର ମତ୍ସ୍ୟଜୀବୀ ମାଛଧରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ମାତ୍ର ସରକାରଙ୍କ ଏପରି କଟକଣା ପରେ ମତ୍ସ୍ୟଜୀବୀ ପରିବାରକୁ ରୋଜଗାର ଚିନ୍ତା ଘାରିଛି । ମାଛଧରା ବନ୍ଦ ରହିବା ଫଳରେ ଲଞ୍ଚ, ଟ୍ରଲର, ଗ୍ରୀନଲେଟର, ଭୁଟୁଭୁଟି ପ୍ରଭୃତିକୁ ସମୁଦ୍ର ନିକ ମୁହାଣ ମୁହଁରେ ସୁରକ୍ଷିତ ଭାବେ ରଖାଯାଇଥିବା ଦେଖିବାକୁ ମିଳିଛି ।