କୃଷକ ଆନ୍ଦୋଳନକୁ ୬ ମାସ : ୨୬ରେ କଳାଦିବସ ପାଳନ କରିବାକୁ କୃଷକ ନେତାଙ୍କ ଆହ୍ୱାନ

ନୂଆଦିଲ୍ଲୀ : ଆସନ୍ତା ୨୬ତାରିଖକୁ କଳା ଦିବସ ଭାବେ ପାଳନ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା। କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାନ୍ତରେ ଚାଲିଥିବା କୃଷକ ଆନ୍ଦୋଳନକୁ ଏହି ଦିନ ୬ ମାସ ପୂରଣ ହେଉଥିବା ପରିପ୍ରେକ୍ଷୀରେ କୃଷକ ସଂଗଠନଗୁଡ଼ିକ ଏପରି ନିଷ୍ପତ୍ତି ନେଇଛନ୍ତି। କୃଷକ ନେତା ବଲବୀର ସିଂହ ରାଜେୱାଲାଙ୍କ ସୂଚନାନୁସାରେ ସେ ଦିନ କୃଷକମାନେ କଳା ପତାକା ଉତ୍ତୋଳନ କରିବେ।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ କରି କୃଷକ ନେତା ବଲବୀର ସିଂ ରାଜେବାଲ ଦେଶର କୃଷକମାନଙ୍କୁ ଆହ୍ୱାନ ଦେଇଛନ୍ତି କି ମେ ୨୬ ତାରିଖରେ କୃଷକମାନେ ନିଜ ଘରେ, ଗାଡିରେ ଓ ଦୋକାନରେ କଳା ପତାକା ଲଗାଇ କୃଷି ଆଇନକୁ ବିରୋଧ କରିବେ। ସେ ଆହୁରି କହିଛନ୍ତି କି ମେ ୨୬ ତାରିଖରେ କୃଷି ଆନ୍ଦୋଳନକୁ ୬ ମାସ ପୁରୁଥିବା ବେଳେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରକୁ ୭ ବର୍ଷ ପୁରୁଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ କରି ସାରା ଦେଶରେ କୃଷକମାନେ କଳା ଦିବସ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଏହାକୁ ସମର୍ଥନ ପୂର୍ବକ ଜନସାଧାରଣ ନିଜ ନିଜ ଘର ଉପରେ କଳା ପତାକା ଉଡ଼ାଇବାକୁ ସେ ନିବେଦନ କରିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ଛତା ତଳେ ଆନ୍ଦୋଳନରେ ୪୦ରୁ ଅଧିକ କୃଷକ ସଂଗଠନ ସାମିଲ ହୋଇଛନ୍ତି। ନଭେମ୍ବର ୨୬ରୁ ସେମାନେ ରାଜଧାନୀ ଦିଲ୍ଲୀ ସୀମାନ୍ତ ଟିକ୍ରି, ଗାଜିପୁର ଓ ସିଙ୍ଘୁଠାରେ ଆନ୍ଦୋଳନ ଚଳାଇ ଆସୁଛନ୍ତି। ସୂଚନା ଯେ, ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି କୃଷି ଆଇନକୁ ବିରୋଧ କରି ଦୀର୍ଘଦିନ ହେବ ଆନ୍ଦୋଳନରେ ବସିଛନ୍ତି କୃଷକ । ଏନେଇ ନଭେମ୍ବର ୨୬ ତାରିଖ ଦିନ ଆନ୍ଦୋଳନରତ କୃଷକମାନେ ଦିଲ୍ଲୀ ସୀମାକୁ ପଶିଥିଲେ । ଏଥିରେ ପୁଲିସ ତରଫରୁ ବି ସେମାନଙ୍କ ଉପରେ ପାଣିମାଡ ସହ ଲାଠିଚାର୍ଜ କରାଯାଇଥିଲା । ପୁଲିସର ବର୍ବରତା , କରୋନାର କରାଳ ରୂପ ଓ ସରକାରଙ୍କ ଉଦାସୀନତା ପରେ ବି କୃଷକମାନେ ଧର୍ଯ୍ୟର ସହ ଆନ୍ଦୋଳନ ଜାରି ରଖିଛନ୍ତି ।