ଆଜିଠୁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା
![](https://thetruths.in/wp-content/uploads/2021/04/School-1.jpg)
ଭୁବନେଶ୍ୱର : ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅତି ଭୟଙ୍କର ହୋଇପଡ଼ିଛି । ଏହାରି ଭିତରେ ଛାତ୍ରଛାତୀଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇ ପ୍ରଥମରୁ ଦଶମ ଶ୍ରେଣୀର ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି । ପରୀକ୍ଷା ହେଲେ କରୋନା ସଂକ୍ରମଣର ଅଧିକ ଆଶଙ୍କା ଥିବା ବେଳେ ଏହାକୁ ବାତିଲ କରାଯାଇଛି । ଯାହାଫଳରେ ବିନା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଉପର ଶ୍ରେଣୀକୁ ଉତ୍ତିର୍ଣ୍ଣ ହୋଇଛନ୍ତି । ଏହାରି ଭିତରେ ସମସ୍ତ ସରକାରୀ ସ୍କୁଲ୍ରେ ମଙ୍ଗଳବାର ଠାରୁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବାକୁ ଯାଉଛି ଯାହା ଆସନ୍ତା ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ଼୍ ଗାଇଡଲାଇନ୍ ମାନି ନାମଲେଖା ପ୍ରକ୍ରିୟା କରିବାକୁ ସବୁ ଡ଼ିଇଓ,ବିଇଓ ଓ ଡ଼ିପିସିଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯.୩୦ ପର୍ଯ୍ୟନ୍ତ ଚାଲିବ ନାମଲେଖା। ପୂର୍ବ ଶ୍ରେଣୀର ପିଲାଙ୍କୁ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖା ହେବ । କୌଣସି ଛାତ୍ର ବା ଅଭିଭାବକଙ୍କୁ ନାମଲେଖା ପାଇଁ ସ୍କୁଲକୁ ଡକାଯିବ ନାହିଁ । ସ୍କୁଲ ବଦଳିଲେ ଟେଲିଫୋନ୍ରେ ଅନୁମତି ନେଇ ନାମଲେଖା ହେବ । ଆବଶ୍ୟକ ସ୍ଥଳେ ଟିସି ନେଇ ଅନ୍ୟ ସ୍କୁଲକୁ ଯାଇପାରିବେ ଛାତ୍ରଛାତ୍ରୀ। ତେବେ ଏଥିପାଇଁ ଏକସମୟରେ ୫ ଜଣରୁ ଅଧିକ ଅଭିଭାବକଙ୍କୁ ସ୍କୁଲରେ ପ୍ରବେଶ କରିବାକୁ ମନା କରାଯାଇଛି। କୋଭିଡ୍ ଗାଇଡଲାଇନ ମାନି ନାମଲେଖା ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ଶିକ୍ଷା ସଂଯୋଗ ଦ୍ୱାରା ହ୍ୱାସ୍ଆପ୍ ଗ୍ରୁପ୍ ଜରିଆରେ ଅଭିଭାବକଙ୍କୁ ସୂଚନା ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ମହାମାରୀ କରୋନା ପାଇଁ ଗତ ଶିକ୍ଷାବର୍ଷରୁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ତାଲା ପଡ଼ିଛି। ତେବେ କରୋନାର ଭୟଙ୍କର ରୂପ ଦେଖି ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିନା ପରୀକ୍ଷାରେ ଉନ୍ନିତ କରିଥିଲେ। ଏବେ ମଧ୍ୟ ପିଲାମାନେ ଘରେ ଅଛନ୍ତି। ଆଜି ପର୍ଯ୍ୟନ୍ତ ସ୍କୁଲ ଆସୁନାହାନ୍ତି। ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ମିଳୁଥିବା ପଇସା, ସେମାନଙ୍କ ଆକାଉଣ୍ଟରେ ଜମା କରାଯାଉଛି। ତେବେ ଚଳିତବର୍ଷ ପିଲାମାନେ ସ୍କୁଲ ଆସିବେ ବୋଲି ଆକଳନ କରାଯାଉଛି। କାରଣ କୋଭିଡ୍ ଗାଇଡ୍ଲାଇନ୍ ଭିତରେ ଆସନ୍ତାକାଲିଠାରୁ ନାମଲେଖା କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି।