ନୀଳଗିରିରେ ହାତୀପଲଙ୍କ ଉପଦ୍ରବ ଜାରି : ଭାଙ୍ଗିଲେ ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ନୀଳଗିରି : ନୀଳଗିରିରେ ଜାରି ରହିଛି ହାତୀ ଆତଙ୍କ । ଝାଡ଼ଖଣ୍ଡ ଦଲମା ଅଭୟାରଣ୍ୟର ୪୬ରୁ ଉର୍ଦ୍ଧ୍ୱ ଏକ ହାତୀପଲ ଗତ ଗୁରୁବାର ପ୍ରତ୍ୟୁଷରେ ମୟୂରଭଞ୍ଜ ସୀମାନ୍ତ ପାରି ହୋଇ ପୁନ୍ଦାଳ କାଠପାଳ ରାସ୍ତା ଦେଇ ଅଯୋଧ୍ୟା ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିଲେ । ସେମାନଙ୍କ ମଧ୍ୟରୁ ୭ରୁ ଅଧିକ ଦନ୍ତା ହାତୀ ଥିବା ବେଳେ ୧୫ରୁ ଅଧିକ ଛୁଆ ହାତୀ ରହିଥିଲେ । ଏନେଇ ନୀଳଗିରି ବନବିଭାଗ ଦ୍ୱାରା ଗୋପାଳପୁର ଓ ତିନି କୋଶିଆ ସଂରକ୍ଷିତ ଜଙ୍ଗଲ ଚତୁଃପାର୍ଶ୍ୱ ଗ୍ରାମ ମାନଙ୍କରେ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରିଥିଲେ ମଧ୍ୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।
ଗତ ଶନିବାର ରାତି ପ୍ରାୟ ୧୦ଟା ବେଳେ ଉକ୍ତ ହାତୀପଲ ଜଙ୍ଗଲ ମଧ୍ୟରୁ ବାହାରି ଭଉଁରୀଆବାଡ଼ ପଞ୍ଚାୟତ କୁଡୁମିପାଳ ଗ୍ରାମରେ ପଶି କାର୍ତ୍ତିକ ସିଂଙ୍କ ଏକ ବଖରା ଘରକୁ ଭାଙ୍ଗିଥିବା ବେଳେ ଘର ଭିତରେ ଥିବା ଧାନ ବସ୍ତା ଖାଇବା ସହ ଆସବାବପତ୍ର ଭାଙ୍ଗିରୁଜି ଦେଇଥିବା ବେଳେ ଅଳ୍ପକେ ପରିବାର ଲୋକ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି । ତେବେ କାର୍ତ୍ତିକ ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରାଯାଉ ଏବଂ ଗୋପାଳପୁର ଓ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଚତୁଃପାର୍ଶ୍ୱରେ ଖୋଳା ଯାଇଥିବା ଟେଞ୍ଚ, ସୌରବାଡ଼ ଗୁଡ଼ିକ ବିଧ୍ୱସ୍ତ ହୋଇଥିବା ବେଳେ ମରାମତି ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି । ବନବିଭାଗ ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ହାତୀପଲ ଗୋପାଳପୁର ଜଙ୍ଗଲରେ ରହିଥିବା ବେଳେ ଜଙ୍ଗଲ ଚତୁଃପାର୍ଶ୍ୱରେ ବନକର୍ମଚାରୀ ଜଗି ରହିଛନ୍ତି ।