ଡ଼େଲାଙ୍ଗରେ ନିର୍ବାଚନୀ ହିଂସା
- ବିଜେଡ଼ି କର୍ମୀଙ୍କ ମାଡ଼ରେ ଦୁଇ ବିଜେପି କର୍ମୀ ଆହତ ଅଭିଯୋଗ
- ପ୍ରତିବାଦରେ ବିଜେପି ପକ୍ଷରୁ ରାସ୍ତାରୋକ
- ସମାନ ଅଭିଯୋଗ ଆଣିଲା ବିଜେଡ଼ି
ପିପିଲି : ପିପିଲି ଉପ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣର ଦିନ ଯେତିକି ପାଖେଇ ଆସୁଛି କ୍ରମଶଃ ଉଷ୍ମ ହୋଇ ଉଠୁଛି ରାଜନୀତି । ବିଭିନ୍ନ ସ୍ଥାନରେ ପ୍ରମୁଖ ଦୁଇ ରାଜନୈତିକ ଦଳ ବିଜେଡ଼ି ଓ ବିଜେପି ପକ୍ଷରୁ ଅକ୍ଷେପ ପ୍ରତିଆକ୍ଷେପ ଏବଂ ଆକ୍ରମଣ ପ୍ରତିଆକ୍ରମଣ ଭଳି ଅଭିଯୋଗ ମାନ ସାମ୍ନାକୁ ଆସୁଛି । ଅନୁରୂପ ଭାବେ ଆଜି ନିର୍ବାଚନ ପ୍ରଚାର ବେଳେ ହାଟ ଡ଼େଲାଙ୍ଗ ଅଂଚଳରେ ହିଂସାକାଣ୍ଡ ଘଟିଥିବାର ଅଭିଯୋଗ ହୋଇଛି । ହାଟ ଡ଼େଲାଙ୍ଗରେ ନିର୍ବାଚନ ପ୍ରଚାର ବେଳେ ବିଜେଡ଼ି କର୍ମୀଙ୍କ ମାଡ଼ରେ ଦୁଇ ଜଣ ବିଜେପି କର୍ମୀ ଆହତ ହୋଇଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି । ଆହତ ଦୁଇ ବିଜେପି କର୍ମୀଙ୍କୁ ଚିକିତ୍ସା ନିମନ୍ତେ ଡ଼େଲାଙ୍ଗ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଘଟଣାର ପ୍ରତିବାଦ କରିବା ସହ ମାମଲାରେ ଜଡ଼ିତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ବିଜେପି କର୍ମୀଙ୍କ ପକ୍ଷରୁ ହାଟ ଡ଼େଲାଙ୍ଗ ନିକଟରେ ଅପରାହ୍ନ ୪ଟା ଠାରୁ ରାସ୍ତାରୋକ କରାଯାଇଛି । ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଘଟଣାସ୍ଥଳରେ ଚାପା ଉତେଜନା ଲାଗି ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଥିବା ବେଳେ ସ୍ଥିତି ନିୟନ୍ତ୍ରଣରେ ଥିବା ପୋଲିସ କହିଛି ।
ଅନ୍ୟପକ୍ଷରେ ବିଜେଡ଼ିର କେତେକ କର୍ମୀଙ୍କୁ ମଧ୍ୟ ବିଜେପି ପକ୍ଷରୁ ଆକ୍ରମଣ ହୋଇଥିବା ଅଭିଯୋଗ ଆଣି ସଂନ୍ଧ୍ୟା ୬ଟା ଠାରୁ ଡ଼େଲାଙ୍ଗ ଥାନା ନିକଟରେ ବିଜେଡ଼ି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଯାହାଫଳରେ ଡ଼େଲାଙ୍ଗ – କଣାସ ରୁଟ୍ ରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାତି ୮ଟା ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଆନ୍ଦୋଳନ ଜାରୀ ରହିଛି ।
ପ୍ରକାଶ ଥାଉ କି, ପ୍ରଚାର ବେଳେ ରାଲି ଉପରକୁ ବିଜେଡ଼ି କର୍ମୀଙ୍କ ଆକ୍ରମଣ ଅଭିଯୋଗରେ ଗତ ୨ ତାରିଖରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କ ପକ୍ଷରୁ ପିପିଲି ଥାନା ଘେରାଉ କରାଯାଇଥିଲା । ଘଟଣାରେ ବିଜେଡ଼ି ମଧ୍ୟ ପାଲଟା ଅଭିଯୋଗ ଆଣି ପ୍ରତିବାଦକୁ ଓହ୍ଲାଇଥିଲା ।