ବାଲେଶ୍ୱର : ‘ଆମ ରଥ ଆମ ଜଗନ୍ନାଥ’ ଶୀର୍ଷକ ଆଲୋଚନା ଓ କବିତାପାଠ
![](https://thetruths.in/wp-content/uploads/2021/07/Vertual-Meeting-1024x605.jpg)
ବାଲେଶ୍ୱର : ରଥ କେବଳ ଓଡ଼ିଆମାନଙ୍କର ଏକ ପର୍ବ ହୋଇ ରହିନାହିଁ କିିମ୍ବା ଜଗନ୍ନାଥ ଆଜି କେବଳ ଓଡ଼ିଆ ଜାତିର ନମସ୍ୟ ହୋଇ ରହିନାହାନ୍ତି । ସମଗ୍ର ପୃଥିବୀକୁ ରଥ ଏବଂ ଜଗନ୍ନାଥ ଉଭୟ ଆବୋରି ବସିଛନ୍ତି । ଆଜି ଆମ ଜାତି, ଆମ ରାଜ୍ୟ, ଆମ ସାହିତ୍ୟ ଓ ସର୍ବୋପରି ଆମ ଭାଷା ଜଗନ୍ନାଥଙ୍କୁ କେନ୍ଦ୍ର କରି ବିସ୍ତୃତି ଲାଭ କରିଛି । ତେଣୁ ପବିତ୍ର ରଥଯାତ୍ରା ସପ୍ତାହରେ ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ସମର୍ପଣ କରି ବୁଧବାର ସନ୍ଧ୍ୟାରେ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ତରଫରୁ ‘ଆମ ରଥ ଆମ ଜଗନ୍ନାଥ’ ଶୀର୍ଷକରେ ଏକ ଆଲୋଚନା ଓ କବିତାପାଠ ଆଭାସି ମାଧ୍ୟମରେ ଡ. ଲକ୍ଷ୍ମୀକାନ୍ତ ତିପ୍ରାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଡା.ଚୌଧୁରୀ ସତ୍ୟବ୍ରତ ନନ୍ଦ ଜଗନ୍ନାଥ ତତ୍ତ୍ୱ ଉପରେ ଆଲୋଚନା କରି ତାଙ୍କୁ ଚିରନୂତନ ଓ କାଳ ମଧ୍ୟରେ ସୀମାବଦ୍ଧ ନୁହନ୍ତି ବୋଲି ସୂଚାଇଥିଲେ । ରାମ ଜନ୍ମ ଓ କୃଷ୍ଣ ଜନ୍ମର ପୂର୍ବଦିନ ଜଗନ୍ନାଥଙ୍କ ନିକଟରେ ଜେଉଟ ଭୋଗ ଲାଗୁଥିବାରୁ ତଥା ଜେଉଟ ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ମହାପ୍ରଭୁଙ୍କୂ ମାତୃରୁପିଣୀ ବୋଲି ସେ ଚିତ୍ରିତ କରିଥିଲେ । ବକ୍ତବ୍ୟରେ ସେ ଜଗନ୍ନାଥ ଚେତନାକୁ ବିଶ୍ୱଚେତନା ସହିତ ତଲ୍ଲୀନ କରିଦେଇଥିଲେ । ଅନୁଷ୍ଠାନର ଯୁଗ୍ମ ସଂପାଦକ ଦୀପକ ବୋଷ ଅତିଥିମାନଙ୍କ ସମ୍ପର୍କରେ ସୂଚନା ଓ ସାଧାରଣ ସଂପାଦକ ନିବାରଣ ଜେନା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସଙ୍ଗଠନ ସମ୍ପାଦକ ତପନ ରାୟ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ ଓ ଯୁଗ୍ମ ସଂପାଦିକା ସୁବ୍ରତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଫେସର ସ୍ୱାତୀ ମୁଖାର୍ଜୀ, ଶରତ କୁମାର ମହାପାତ୍ର, ଅରୁଣା ରାୟ,କଲ୍ୟାଣୀ ନନ୍ଦ, ନିରଞ୍ଜନ ରାଉତ, ଅଞ୍ଜଳି ପଣ୍ଡା,ଜ୍ୟୋତ୍ସ୍ନା ରାୟ, ସ୍ନିଗ୍ଧା ସାମନ୍ତରାୟ, ଶୀତିକଣ୍ଠ ଦୀକ୍ଷିତ, ଇଂ ବିଜୟ କୁମାର ମହାନ୍ତି, ଡା.ଅଭିମନ୍ୟୁ କାନୁନ୍ଗୋ, ଅଧ୍ୟାପକ କମଳାକାନ୍ତ ଦାଶ, ବସନ୍ତ କୁମାର ପଣ୍ଡା, ସୁଶୋଭନ ଦେ, ପ୍ରଫେସର ଜୟଶ୍ରୀ ମିଶ୍ର, ଇଂ.ରାଜୀବ ମହାପାତ୍ର, ପ୍ରମିଳା ଶତପଥୀ,ବାସନ୍ତୀ କର, ଜୁମରନାଥ ପାତ୍ର, ସରିତା ମହାନ୍ତି, ପ୍ରତିମା ପରିଡ଼ା, ତୀର୍ଥେଶ ଚନ୍ଦ୍ର ନାୟକ ଆଦି ସାହିତ୍ୟିକଗଣ ଜଗନ୍ନାଥଙ୍କୁ ବିଷୟବସ୍ତୁ କରି କବିତାପାଠ କରିଥିଲେ ।